ଭୋଟ ପାଇଁ ଚାଲିଛି ପ୍ରଲୋଭନ, ବିଜେପି ସରକାରକୁ ଘେରିଲା ବିଜେଡି

କୋଟିଆରେ ନିର୍ବାଚନ କରିବାକୁ ପ୍ରୟାସ ଜାରି ରଖିଛି ଆନ୍ଧ୍ର । ଲୋକଙ୍କୁ ପ୍ରଲୋଭିତ କରି ଭୋଟ ହାତେଇବାକୁ ବସିଛି ଆନ୍ଧ୍ର । ସୀମା ବିବାଦକୁ ନେଇ ନିର୍ବାଚନ ସମୟରେ ବିଜେପି ଦେଇଥିବା ପ୍ରତିଶ୍ରୁତି ଆଜି ପ୍ରତାରଣାରେ ପରିଣତ । ନିଜ ଦାୟିତ୍ୱ ନିର୍ବାହ ନ କରି କୋର୍ଟ ଯାଇଛୁ କହି ସୀମା ବିବାଦ ପ୍ରସଙ୍ଗକୁ ଏଡ଼ାଇ ଯାଉଛନ୍ତି ରାଜ୍ୟ ସରକାର । ନିଜର ଅସହାୟତା ପ୍ରକାଶ କରି ରାଜ୍ୟ ସରକାର ଆନ୍ଧ୍ର ସରକାର ପାଖରେ ନିଜକୁ ଆତ୍ମସମର୍ପଣ କରିଥିବାରୁ କଡ଼ା ନିନ୍ଦା କରିଛି ବିଜେଡି । ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ର ଓ ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ।
ଶ୍ରୀ ଦେବୀ ପ୍ରସାଦ ମିଶ୍ର କହିଥିଲେ ଯେ, ଡବଲ ଇଞ୍ଜିନ ସରକାରଙ୍କ ବିଫଳତା ଯୋଗୁଁ ଓଡିଶା ସୀମାରେ ଆନ୍ଧ୍ର ସରକାର ଅନୁପ୍ରବେଶ କରୁଛନ୍ତି । ସୀମା ବିବାଦର ସମାଧାନ ପାଇଁ ବିଜେପି ସରକାରଙ୍କ ଆନ୍ତରିକତା ନାହିଁ । ଯେଉଁଥି ପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଲୋକେ । ନିଜ ଦାୟିତ୍ୱ ନିର୍ବାହ ନ କରି ସୀମା ବିବାଦ ପ୍ରସଙ୍ଗକୁ ଏଡ଼ାଇ ଯାଉଛନ୍ତି ରାଜ୍ୟ ସରକାର । ନିର୍ବାଚନ ସମୟରେ ସୀମା ବିବାଦକୁ ନେଇ ବିଜେପି ଦେଇଥିବା ପ୍ରତିଶ୍ରୁତି ଆଜି ପ୍ରତାରଣାରେ ପରିଣତ । ସୀମା ବିବାଦ ସମାଧାନ କରିବାରେ ବିଜେପି ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛି । ଫଳସ୍ୱରୂପ ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଧୁଳିପୁଟ ଗ୍ରାମପଞ୍ଚାୟତର ଜୁମଡାଙ୍ଗ ଗ୍ରାମରେ ଆନ୍ଧ୍ର ଅନୁପ୍ରବେଶ କରି ଗ୍ରାମବାସୀଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଭୋଟ ହାତେଇବାକୁ ବସିଛି । ସରକାର କେବଳ ଦେଖଣାହାରୀ ସାଜି ବସି ରହିଛନ୍ତି । ଟ୍ରିପଲ ଇଞ୍ଜିନ ସରକାର ଥାଇ ମଧ୍ୟ ସୀମା ବିବାଦର ସମାଧାନ ନ ହେବା ଅତ୍ୟନ୍ତ ଲଜ୍ଜାଜନକ । ଚିତ୍ରକୋଣ୍ଡାରେ ଆନ୍ଧ୍ରର ଅନୁପ୍ରବେଶକୁ ନେଇ ମାଲକାନଗିରି ଜିଲ୍ଲା ବିଜେଡିର ଏକ ଟିମ୍ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରି ଜିଲ୍ଲା ପ୍ରଶାସନଙ୍କୁ ଅବଗତ କରାଇଥିଲା । କିନ୍ତୁ ସବୁ ଜାଣି ସୁଦ୍ଧା ସରକାର ନିଦାବିଷ୍ଣୁ ସାଜିଛନ୍ତି । ଚିତ୍ରକୋଣ୍ଡାର ବିକାଶ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ।
ସେହିପରି ଡ଼ ଲେନିନ ମହାନ୍ତି କହିଥିଲେ ଯେ, ସୀମା ବିବାଦକୁ ନେଇ ବିଜେଡି ସରକାର ସମୟରେ ସୁପ୍ରିମକୋର୍ଟରେ ମାମଲା ରୁଜୁ କରାଯାଇଥିଲା । ସୀମା ବିବାଦର ସମାଧାନ ପାଇଁ ସୁପ୍ରିମକୋର୍ଟ ରାୟ ପ୍ରକାଶ କରିଥିଲେ ସୁଦ୍ଧା କେନ୍ଦ୍ର ସରକାର ତାହା ପାଳନ କରିଲେ ନାହିଁ । ବର୍ତ୍ତମାନ ଓଡ଼ିଶା ଓ ଆନ୍ଧ୍ର ସମେତ କେନ୍ଦ୍ରରେ ବିଜେପି ସରକାର ଥିବାବେଳେ ସୀମା ବିବାଦ ସମାଧାନ ନ ହେବା ଅତ୍ୟନ୍ତ ନିନ୍ଦନୀୟ । ଆନ୍ଧ୍ର କେବଳ କୋଟିଆ ନୁହେଁ, ଏବେ ମାଲକାନଗିରି ଜିଲ୍ଲା ଉପରେ ଦୃଷ୍ଟି ପକେଇଛି । ଯଦି ଆନ୍ଧ୍ର ସମର୍ଥନ ପ୍ରତ୍ୟାହାର କରେ, ତେବେ କେନ୍ଦ୍ରରେ ବିଜେପି ସରକାର ଭାଙ୍ଗିଯିବ । ତେଣୁକରି କେନ୍ଦ୍ର ଓ ରାଜ୍ୟ ସରକାର ନିଜର ଅସହାୟତା ପ୍ରଦର୍ଶନ କରି ଓଡ଼ିଶାର ସ୍ୱାର୍ଥକୁ ଜଳାଞ୍ଜଳି ଦେଉଛନ୍ତି । ବିଜେଡି ଶାସନ କାଳରେ ଆନ୍ଧ୍ର ସରକାର ପଞ୍ଚାୟତ ନିର୍ବାଚନ କରାଇବାକୁ ପ୍ରୟାସ କରିଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସୁପ୍ରିମକୋର୍ଟରେ ପିଟିସନ୍ ଦାଖଲ କରି ପଦକ୍ଷେପ ଗ୍ରହଣ କରିଥିଲେ । କିନ୍ତୁ ବର୍ତ୍ତମାନର ସରକାର କେବଳ ଦେଖଣାହାରୀ ସାଜିଛନ୍ତି । ରାଜ୍ୟ ସରକାର କୋଟିଆ ସମେତ ଅନ୍ୟ ବିବାଦୀୟ ସ୍ଥାନରେ ତୁରନ୍ତ ଦୃଷ୍ଟି ଦିଅନ୍ତୁ । ସୀମାକୁ ସିଲ୍ କରି ଆନ୍ଧ୍ରର ଅନୁପ୍ରବେଶକୁ ବନ୍ଦ କରିବା ସହିତ ନିର୍ବାଚନକୁ ପଣ୍ଡ କରନ୍ତୁ ସରକାର ।




