
ରାଜ୍ୟରେ ବିଦ୍ୟୁତ୍ କର୍ମଚାରୀଙ୍କ ଆନ୍ଦୋଳନ ଏବେ ନୂଆ ମୋଡ଼ ନେଇଛି। ଗାନ୍ଧୀ ମାର୍ଗରେ ଚାଲିଥିବା ଅନିର୍ଦ୍ଦିଷ୍ଟକାଳୀନ ଅନଶନ ଓ ପ୍ରତିବାଦକୁ ୫୦ ଦିନ ବିତିଥିବା ବେଳେ ଏହାକୁ ନେଇ ସରକାରଙ୍କୁ ଘେରିଛି ବିଜେଡି। ଦଳର ଗଣମାଧ୍ୟମ ସଂଯୋଜକ ଡକ୍ଟର ଲେନିନ ମହାନ୍ତି ଏକ ପ୍ରେସ୍ ବିବୃତ୍ତି ଜରିଆରେ ବିଜେପି ସରକାର ଓ ଟାଟା ପାୱାରକୁ କଡ଼ା ସମାଲୋଚନା କରିଛନ୍ତି। ଚୁକ୍ତିଭିତ୍ତିକ ବିଦ୍ୟୁତ୍ କର୍ମଚାରୀମାନେ ଦୀର୍ଘଦିନ ଧରି ନିଜର ନ୍ୟାୟସଙ୍ଗତ ଦାବି ପାଇଁ ଲଢ଼େଇ କରୁଛନ୍ତି।
ସେମାନଙ୍କର ମୁଖ୍ୟ ଦାବି ହେଉଛି ଚାକିରି ସୁରକ୍ଷା, ବହିଷ୍କୃତ କର୍ମଚାରୀଙ୍କ ପୁନଃନିଯୁକ୍ତି, ସମାନ କାମକୁ ସମାନ ମଜୁରି ଏବଂ ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଥାର ଅନ୍ତ। କିନ୍ତୁ ଏହି ଦାବିଗୁଡ଼ିକୁ ସରକାର ଓ ବିଦ୍ୟୁତ୍ କମ୍ପାନି ଅଣଦେଖା କରୁଥିବା ଅଭିଯୋଗ କରିଛି ବିଜେଡି।ସେପଟେ ଆଜି ଭୁବନେଶ୍ୱର, ପିପିଲି ଓ ଅନ୍ୟାନ୍ୟ ସ୍ଥାନରେ କିଛି କର୍ମଚାରୀ ଉଚ୍ଚ ଭୋଲଟେଜ୍ ବିଦ୍ୟୁତ୍ ଟାୱାର ଉପରେ ଚଢ଼ି ପ୍ରତିବାଦ କରିବା ଘଟଣାକୁ ନେଇ ଚିନ୍ତା ପ୍ରକାଶ କରିଛି ଦଳ। ଏଭଳି ସ୍ଥିତି ପାଇଁ ବିଜେପି ସରକାରଙ୍କ ଅପାରଗତା ଓ ଟାଟା ପାୱାରର ଦାୟିତ୍ୱହୀନତା ଦାୟୀ ବୋଲି ଅଭିଯୋଗ କରିଛନ୍ତି ଡକ୍ଟର ଲେନିନ ମହାନ୍ତି।
କେବଳ କର୍ମଚାରୀଙ୍କ ସମସ୍ୟା ନୁହେଁ, ବିଦ୍ୟୁତ୍ ବଣ୍ଟନ ବ୍ୟବସ୍ଥାକୁ ନେଇ ମଧ୍ୟ ଟାଟା ପାୱାରକୁ ଘେରିଛି ବିଜେଡି। ଦଳର ଅଭିଯୋଗ, ଜୁନ୍ ୨୦୨୪ରୁ ନଭେମ୍ବର ୨୦୨୬ ପର୍ଯ୍ୟନ୍ତ ସରକାରୀ ବଜେଟ୍ ସହାୟତା ଓ ବିଭିନ୍ନ ସୁବିଧା ଦିଆଯାଉଥିବା ବେଳେ ସାଧାରଣ କର୍ମଚାରୀଙ୍କ ମୌଳିକ ଅଧିକାରକୁ ଅଣଦେଖା କରାଯାଉଛି। ଏପରିକି ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗଙ୍କ ରିପୋର୍ଟରେ ଟାଟା ପାୱାର ପରିଚାଳିତ ବିତରଣ କମ୍ପାନିଗୁଡ଼ିକର ସେବା ମାନଦଣ୍ଡ, ଅନଧିକୃତ ଚାର୍ଜ ଆଦାୟ ଓ ଗ୍ରାହକ ସେବାକୁ ନେଇ ଉଦ୍ବେଗ ପ୍ରକାଶ ପାଇଥିବା ବିଜେଡି ଦାବି କରିଛି।
ତେବେ ବିଦ୍ୟୁତ୍ କର୍ମଚାରୀଙ୍କ ଆନ୍ଦୋଳନକୁ ନେଇ ଏବେ ତେଜିଛି ରାଜନୈତିକ ଲଢ଼େଇ। ବିଜେଡିର ଚେତାବନୀ, କର୍ମଚାରୀଙ୍କ ଦାବିକୁ ଅଣଦେଖା କଲେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ। ଏବେ ପ୍ରଶ୍ନ, ବିଜେଡିର ଏହି ଚାପ ପରେ ସରକାର କ’ଣ ପଦକ୍ଷେପ ନେବେ? କର୍ମଚାରୀଙ୍କ ଦାବିର ସମାଧାନ କେବେ ହେବ? ଏହା ଉପରେ ରହିଛି ସମସ୍ତଙ୍କ ନଜର।




