ଓଡ଼ିଶା

ପୁଣି ଖୋଲିବ ମହାପ୍ରଭୁଙ୍କ ରତ୍ନଭଣ୍ଡାର! ଆସନ୍ତାକାଲିଠୁ ଆରମ୍ଭ ହେବ ଗଣତିମଣତି

ଦୀର୍ଘ ବ୍ୟବଧାନ ପରେ ପୁଣିଥରେ ଚାଲିବ ରତ୍ନଭଣ୍ଡାରର ଗଣତିମଣତି। ନିର୍ଦ୍ଧାରିତ ମାର୍ଗଦର୍ଶିକା ଆଧାରରେ ଅନୁମୋଦିତ ବ୍ୟକ୍ତିମାନେ ଭଣ୍ଡାର ଭିତରକୁ ପ୍ରବେଶ କରିବେ। ସମ୍ଭବତଃ ଖଟଶେଜ ଘରେ କାଠ ବାକ୍ସରେ ରଖାଯାଇଥିବା ମହାପ୍ରଭୁଙ୍କ ଅଳଙ୍କାରର ଗଣତିମଣତି କରାଯିବ। ତେବେ ଏହି ସମୟରେ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥାରେ ପରିବର୍ତ୍ତନ ହେବନାହିଁ। ପୂର୍ବଭଳି କେବଳ ବାହାର କାଠରୁ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ କରିବେ।

ଗଣତିମଣତି ସମୟରେ ଶ୍ରୀମନ୍ଦିରର ନୀତିକାନ୍ତି ଯେପରି ସୁରୁଖୁରୁରେ ଚାଲିବ, ସେଥିପାଇଁ ସମସ୍ତ ସେବକଙ୍କ ସହଯୋଗ ଲୋଡ଼ାଯାଇଛି। ବିଶେଷକରି ପାଳିଆ ସେବକମାନେ ନୀତିକାନ୍ତିରେ ସହଯୋଗ କରିବା ନେଇ ଆଲୋଚନା ହୋଇଛି। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ମାସରୁ ରତ୍ନଭଣ୍ଡାରରେ ଗଣତିମଣତି ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଶେଷଥର ପାଇଁ ଅଗଷ୍ଟ ୩୧ ଓ ସେପ୍ଟେମ୍ବର ୧ ତାରିଖରେ ଗଣତି ହୋଇଥିଲା। ମାର୍ଚ୍ଚରୁ ସେପ୍ଟେମ୍ବର ୧ ମଧ୍ୟରେ ମୋଟ ୧୭ ଦିନ ଧରି ଗଣତିମଣତି ହୋଇଥିବା ସୂଚନା ମିଳିଛି।

ତେବେ ପୁଣିଥରେ ଆରମ୍ଭ ହେବାକୁ ଯାଉଥିବା ଏହି ଗଣତିମଣତି ପ୍ରକ୍ରିୟା ଉପରେ ଏବେ ସମସ୍ତଙ୍କ ନଜର। ମହାପ୍ରଭୁଙ୍କ ରତ୍ନ ଅଳଙ୍କାରର ଗଣତି କିପରି ସମ୍ପନ୍ନ ହେଉଛି, ତାହା ଜାଣିବାକୁ ଅପେକ୍ଷା କରିଛନ୍ତି ଶ୍ରଦ୍ଧାଳୁ।

Related Articles

Back to top button