
ଭୁବନେଶ୍ୱର, ୧୯/୦୫/୨୦୨୬: ୨୦୨୪ ସାଧାରଣ ନିର୍ବାଚନରେ ଚାଷୀକୂଳ ପାଇଁ ବିଜେପି ଦେଇଥିବା ନିର୍ବାଚନ ପ୍ରତିଶ୍ରୁତି ପାଣିର ଗାର ହୋଇଛି । ଚାଷୀଙ୍କୁ ଏମଏସ୍ପି ସହିତ ୮୦୦ ଟଙ୍କାର ଇନ୍ପୁଟ୍ ସବ୍ସିଡି ଦେବାର ଆଶ୍ୱାସନା ଦେଇଥିବା ବିଜେପି ସରକାର ଚାଷୀମାନଙ୍କୁ ଶୋଷଣ କରୁଥିବା କହି କଡ଼ା ସମାଲୋଚନା କରିଛି ବିଜୁ ଜନତା ଦଳ ।
ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ଦଳର ଉପସଭାପତି ଶ୍ରୀ ସଞ୍ଜୟ କୁମାର ଦାସବର୍ମା ଓ ବିଧାୟକ ତଥା ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଶ୍ରୀ ବ୍ୟୋମକେଶ ରାୟ, ବିଜେପି ସରକାରର ଚାଷୀ ମାରଣ ନୀତି ଯୋଗୁଁ ଚାଷୀ ନିଜର ହକ୍ ପାଇଁ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେଉଛି । ରାଜ୍ୟରେ ଚାଷୀ ମାନଙ୍କ ସମସ୍ୟା ଉକ୍ରଟ ରୂପ ନେଉଥିବା ବେଳେ ସରକାର ଉତ୍ସବ ମନାଇବାରେ ବ୍ୟସ୍ତ ରହୁଛନ୍ତି । ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା ବିଜେପି, ଚାଷୀକୂଳ ପ୍ରତି ଉଦାସୀନତା ପନ୍ଥା ଅବଲମ୍ବନ କରିବା ନିନ୍ଦନୀୟ ବୋଲି କହିଥିଲେ ।
ଶ୍ରୀ ସଞ୍ଜୟ କୁମାର ଦାସବର୍ମା କହିଥିଲେ, ବିଜେପି କ୍ଷମତାକୁ ଆସିବା ପୂର୍ବରୁ ଓଡ଼ିଶାର ଚାଷୀକୂଳକୁ ଆଶ୍ୱସ୍ତ କରିଥିଲା ଯେ, ଏମ୍ଏସ୍ପି ସହିତ ୮୦୦ ଟଙ୍କାର ଇନ୍ପୁଟ୍ ସବ୍ସିଡି ଦେଇ ଧାନ କିଣିବୁ ଏବଂ ଚାଷୀର ସମସ୍ତ ବଳକା ବିକି୍ରଯୋଗ୍ୟ ଧାନ ସଂଗ୍ରହ କରିବୁ । ଏହା ଭିତରେ ଦୁଇଟି ଆର୍ଥିକ ବର୍ଷ ବିତିଯାଇଥିଲେ ମଧ୍ୟ ସରକାରଙ୍କ ଅପାରଗତା କାରଣରୁ ଚାଷୀକୂଳ ଆଜି ଦୁର୍ଦ୍ଦିନରେ କାଳାତିପାତ କରୁଛି । ବିଜେପିର ମିଛ ପ୍ରତିଶ୍ରୁତିର ଶିକାର ହୋଇ ଚାଷୀକୁ ଆଜି ରେଜିଷ୍ଟ୍ରେସନ ପାଇଁ, ଟୋକନ ପାଇଁ, ମଣ୍ଡି ଖୋଲିବା ପାଇଁ ଓ ନିଜ କଷ୍ଟ ଉପାର୍ଜିତ ଫସଲକୁ କିପରି ବିକି୍ର କରିପାରିବେ, ସେଥିପାଇଁ ବାରମ୍ବାର ରାଜରାସ୍ତାରେ ଆନେ୍ଦାଳନ କରିବାକୁ ପଡୁଛି ।
ରାଜ୍ୟର ସମସ୍ତ ପ୍ୟାକ୍ସ ଓ ଲ୍ୟାମ୍ପ୍ସ ଆଗରେ ହଜାର ହଜାର ଚାଷୀଙ୍କ ଆକୁଳ ରୋଦନ ଆଜି ସାରା ଭାରତବର୍ଷରେ ମୁଖ୍ୟ ଖବର ହୋଇଛି । ରାଜ୍ୟର ଖାଦ୍ୟ ଭଣ୍ଡାର କୁହାଯାଉଥିବା ପଶ୍ଚିମ ଓଡ଼ିଶାରେ ଚାଷୀଭାଇ ମାନେ ଆନେ୍ଦାଳନକୁ ଓହ୍ଲାଇ ସରକାରଙ୍କ ଚାଷୀକୂଳ ପ୍ରତି ଥିବା ବୈମାତୃକ ମନୋଭାବ ବିରୋଧରେ ରାଜରାସ୍ତାରେ ଗର୍ଜନ କରୁଛନ୍ତି । ଦୁଃଖ ଓ ପରିତାପର ବିଷୟ ଚାଷୀକୂଳ ପ୍ରତି ସରକାରଙ୍କ ଉଦାସୀନତା ମନୋଭାବ ଯୋଗୁଁ ଚାଷୀ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛି । ବିଜେପି ଦଳ ଦେଇଥିବା ନିର୍ବାଚନ ପ୍ରତିଶ୍ରୁତି ପୂରଣ କରି ଚାଷୀଙ୍କ ସମସ୍ୟା ଦୂର କରନ୍ତୁ । ସରକାର ଯଦି ଆଗକୁ ଚାଷୀଙ୍କ ସମସ୍ୟା ପ୍ରତି ଯଦି କୌଣସି ଠୋସ୍ ପଦକ୍ଷେପ ନ ନିଅନ୍ତି, ତେବେ ବିଜୁ ଜନତା ଦଳ ଚାଷୀଙ୍କ ହକ୍ ପାଇଁ ଆନେ୍ଦାଳନକୁ ତୀବ୍ରତର କରିବ ।
ଶ୍ରୀ ବ୍ୟୋମକେଶ ରାୟ କହିଥିଲେ ଯେ, ଖରିଫ ସିଜିନ୍ରେ ରେକର୍ଡ ସଂଖ୍ୟକ ଧାନ ଅମଳ ହୋଇଥିଲା । ଗତବର୍ଷ ଯେଉଁ ଧାନ ସଂଗ୍ରହ ହୋଇଥିଲା, ତାହା ସରକାର ଓ ମିଲ୍ ମାନଙ୍କ ପାଖରେ ଭରପୂର ମାତ୍ରାରେ ରହିଥିଲା । ସରକାରଙ୍କ ପାଖରେ ଆଉ ଜାଗା ନଥିଲା ଏ ବର୍ଷର ଧାନ କିଣିବା ପାଇଁ । ଯାହା ମୁଖ୍ୟମନ୍ତ୍ରୀ ପୂର୍ବାଞ୍ଚଳ କୃଷି ସମ୍ମିଳନୀରେ ସ୍ୱୀକାର କରିଛନ୍ତି । ସରକାର ପ୍ରଥମ ଦିନରୁ ଚେଷ୍ଟା କରିଥିଲେ କିପରି ଏବର୍ଷ କମ୍ ଧାନ ସଂଗ୍ରହ କରାଯିବ । ସରକାର ରେଜିଷ୍ଟ୍ରେସନ ପ୍ରକି୍ରୟାକୁ ଜଟିଳ କରିବା ସହିତ ୧୫୦ କ୍ୱିଣ୍ଟାଲ ଉପରକୁ କୌଣସି ଚାଷୀ ଧାନ ବିକି୍ର କରିପାରିବ ନାହିଁ କହି ଚାଷୀକୂଳକୁ ହତାଦର କଲେ । ବିଜେପି କ୍ଷମତାକୁ ଆସିବା ଦିନଠୁ କେବଳ ଚାଷୀ ସମସ୍ୟାର ସମ୍ମୁଖୀନ ହୋଇନାହାନ୍ତି, ରାଜ୍ୟରେ ଦୁଷ୍କର୍ମ, ଗଣଦୁଷ୍କର୍ମ, ନାରୀ ନିର୍ଯାତନା ଉଦ୍ବେଗଜନକ ଭାବେ ବୃଦ୍ଧି ପାଇଛି । ଏନସିଆରବି ରିପୋର୍ଟ ଅନୁଯାୟୀ ଓଡ଼ିଶା ଏବେ ୧ ନମ୍ବର ସ୍ଥାନରେ ରହିଛି । ସରକାର ଚାଷୀକୂଳର ସମସ୍ୟାକୁ ତୁରନ୍ତ ସମାଧାନ କରନ୍ତୁ, ନଚେତ୍ ଆଗାମୀ ଦିନରେ ବିଜେଡି ରାଜରାସ୍ତାକୁ ଓହ୍ଲାଇବ ।




