ରାଜ୍ୟସ୍ତରୀୟ ଅବକାରୀ ଅଧିକ୍ଷକ ସମ୍ମିଳନୀ: ପେସାଦାର ନିଶା ମାଫିଆଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର, ୦୫/୦୬/୨୦୨୬: ରାଜ୍ୟରେ ବେଆଇନ ନିଶା କାରବାରକୁ ସମ୍ପୂର୍ଣ୍ଣ ରୂପେ ରୋକିବା ଏବଂ ଅବକାରୀ ବିଭାଗର କାର୍ଯ୍ୟଶୈଳୀକୁ ଅଧିକ ବେଗବାନ କରିବା ପାଇଁ ଏକ ରାଜ୍ୟସ୍ତରୀୟ ଅବକାରୀ ଅଧିକ୍ଷକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ନିର୍ମାଣ ସୌଧଠାରେ ଆୟୋଜିତ ଏହି ସମ୍ମିଳନୀରେ ମାନ୍ୟବର ଆଇନ, ପୂର୍ତ୍ତ ଏବଂ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଅଧ୍ୟକ୍ଷତା କରିଥିଲେ। ସେ ଗୁଇନ୍ଦା ରିପୋର୍ଟ ଆଧାରରେ ନିୟମିତ ଚଢ଼ାଉ କରିବା ସହ ପେସାଦାର ଅପରାଧୀଙ୍କ ବିରୋଧରେ ଦୃଢ଼ ପ୍ରମାଣ ସଂଗ୍ରହ କରି ନ୍ୟାୟାଳୟରେ ଦଣ୍ଡବିଧାନ ନିଶ୍ଚିତ କରିବାକୁ ଅବକାରୀ ଅଧିକ୍ଷକମାନଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି।
ମନ୍ତ୍ରୀ ଶ୍ରୀ ହରିଚନ୍ଦନ ନିଜ ଅଭିଭାଷଣରେ କହିଥିଲେ ଯେ, ବେଆଇନ ମାଦକ ଦ୍ରବ୍ୟ କାରବାର କେବଳ ଲୋକଙ୍କ ଧନଜୀବନ ନଷ୍ଟ କରୁନାହିଁ, ବରଂ ରାଜ୍ୟରେ ଅନେକ ସମୟରେ ଗମ୍ଭୀର ଆଇନ ଶୃଙ୍ଖଳା ପରିସ୍ଥିତି ମଧ୍ୟ ସୃଷ୍ଟି କରୁଛି। ତେଣୁ ଏଭଳି କାର୍ଯ୍ୟରେ ଲିପ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନଗତ ଭାବେ କଠୋର ଆଭିମୁଖ୍ୟ ଗ୍ରହଣ କରିବାର ଆବଶ୍ୟକତା ରହିଛି। ଏଥିସହ ଅବକାରୀ ଅଧିକାରୀ ଓ କର୍ମଚାରୀଙ୍କ ନିୟମିତ ତାଲିମ, ନୂଆ ନିଯୁକ୍ତି ଏବଂ ବିଭିନ୍ନ ଜୋନରେ ଦେଖାଦେଉଥିବା ସମସ୍ୟାର ସମାଧାନ ଉପରେ ସେ ବିଶେଷ ଗୁରୁତ୍ୱାରୋପ କରିଥିଲେ। ସେ ସୂଚନା ଦେଇଛନ୍ତି ଯେ, ବିଗତ ଦୁଇ ବର୍ଷ ମଧ୍ୟରେ ବିଭାଗର ନିୟମିତ ଚଢ଼ାଉ ଯୋଗୁଁ ରେକର୍ଡ ପରିମାଣର ନିଶାଦ୍ରବ୍ୟ ଜବତ ହେବା ସହ ଅନେକଙ୍କୁ ଗିରଫ କରାଯାଇଛି। ଏହା ସହିତ ଯୁବପିଢ଼ିଙ୍କୁ ନିଶା କବଳରୁ ଦୂରେଇ ରଖିବା ପାଇଁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି, ଯାହା ବିଭାଗ ପାଇଁ ଏକ ବଡ଼ ସଫଳତା।
ଏହି ଉଚ୍ଚସ୍ତରୀୟ ବୈଠକରେ ବେଆଇନ ମାଦକ କାରବାର ଓ ଗଞ୍ଜେଇ ଚାଷ ରୋକିବା ପାଇଁ ବିଭିନ୍ନ ସରକାରୀ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରିବା ଉପରେ ଜୋର ଦିଆଯାଇଥିଲା। ଗଞ୍ଜେଇ ଚାଷ ହେଉଥିବା ଅଞ୍ଚଳର ସ୍ଥାନୀୟ ଅଧିବାସୀମାନଙ୍କୁ ଚାଷରୁ ନିବୃତ୍ତ ରଖିବା ପାଇଁ ଅନ୍ୟ ବିଭାଗଗୁଡ଼ିକ ସହ ମିଶି ସେମାନଙ୍କୁ ବିକଳ୍ପ ରୋଜଗାରର ପନ୍ଥା ଦେଖାଇବା ପାଇଁ ବୈଠକରେ ଆଲୋଚନା ହୋଇଥିଲା। ଏଥିସହ ଅପରାଧୀଙ୍କ ବିରୋଧରେ ସଠିକ୍ ଦସ୍ତାବିଜ୍ ଓ ପ୍ରମାଣ ସଂଗ୍ରହ କରି କୋର୍ଟରେ ଉପସ୍ଥାପନ କରିବାକୁ ନିଷ୍ପତ୍ତି ହୋଇଛି।
ବୈଠକରେ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଆର୍. ଏସ୍. ଗୋପାଳନ୍ ଯୋଗଦେଇ ବିଭାଗ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପ୍ରଶାସନିକ ସଂସ୍କାର ବିଷୟରେ ସୂଚନା ଦେଇଥିଲେ। ଆଗାମୀ ଦିନର ଆହ୍ୱାନଗୁଡ଼ିକୁ ସାମ୍ନା କରିବା ପାଇଁ ସମସ୍ତ ଅଧିକାରୀ ଓ କର୍ମଚାରୀ ସଦାସର୍ବଦା ପ୍ରସ୍ତୁତ ରହିବାକୁ ସେ ଆହ୍ୱାନ ଦେଇଥିଲେ। ଅବକାରୀ କମିଶନର ପି. ଅନ୍ଵେଷା ରେଡ୍ଡୀ ସ୍ୱାଗତ ଭାଷଣ ଦେବା ସହ ବିଭିନ୍ନ ଜିଲ୍ଲାରେ ହୋଇଥିବା ଚଢ଼ାଉ ଓ ରାଜସ୍ୱ ଆଦାୟର ସମସ୍ତ ତଥ୍ୟ ପିପିଟି (PPT) ମାଧ୍ୟମରେ ଉପସ୍ଥାପନ କରିଥିଲେ।
ଏହି ସମ୍ମିଳନୀରେ ଓଏସ୍ବିସିଏଲ୍ (OSBCL)ର ଏମ୍ଡି ଦେବେନ କୁମାର ପ୍ରଧାନ, ଅତିରିକ୍ତ ଶାସନ ସଚିବ ଅର୍ଚ୍ଚନା ଦାସ ପଟ୍ଟନାୟକ ଓ ଦେବାଶିଷ ପଟ୍ଟନାୟକ, ଅତିରିକ୍ତ କମିଶନର ଶ୍ରୀ ରୁଦ୍ର ନାରାୟଣ ମହାନ୍ତିଙ୍କ ସମେତ ଓଡ଼ିଶାର ସବୁ ଜିଲ୍ଲାରୁ ଆସିଥିବା ଅବକାରୀ ଅଧିକ୍ଷକମାନେ ଉପସ୍ଥିତ ରହି ନିଜ ନିଜର ମତାମତ ଉପସ୍ଥାପନ କରିଥିଲେ।




