ଓଡ଼ିଶା

ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଶ୍ରୀଜଗନ୍ନାଥ ଜମି ବନ୍ଦୋବସ୍ତ ନେଇ ଉଚ୍ଚସ୍ତରୀୟ ଆଲୋଚନା

ଭୁବନେଶ୍ୱର,୦୭/୦୫/୨୦୨୬: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ହଜାର ହଜାର ଏକର ଭୂସମ୍ପତ୍ତି ରହିଛି । ଏହି ଭୂସମ୍ପତ୍ତି ମଧ୍ୟରୁ ଅନେକ ସ୍ଥାନରେ ଶ୍ରୀମନ୍ଦିର ସହ ଜଡ଼ିତ ସେବକ, ନିଯୋଗ ଏପରିକି ଅଣସେବକମାନେ ବର୍ଷ ବର୍ଷ ଧରି ବସତି ସ୍ଥାପନ କରି ରହି ଆସୁଛନ୍ତି । ପୂର୍ବରୁ ଥିବା ୟୁନିଫର୍ମ ସେଟେଲମେଣ୍ଟ ପଲିସି ୨୦୦୩ରେ ଆବଶ୍ୟକ ସଂଶୋଧନ ଜରିଆରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନାମରେ ଥିବା ଜମିକୁ ସଠିକ ବନ୍ଦୋବସ୍ତ ଜରିଆରେ ସମସ୍ତଙ୍କୁ ଥଇଥାନ କରିବା ଉଦ୍ଦେଶ୍ୟରେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଲୋକସେବା ଭବନସ୍ଥିତ ଆଇନ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଶ୍ରୀଜଗନ୍ନାଥଙ୍କ ନମରେ ଥିବା ଜମିରେ ଦୀର୍ଘଦିନ ହେବ ବସବାସ କରୁଥିବା ସେବକ, ନିଯୋଗ, ଅଣସେବକ ଏବଂ ମଠଗୁଡ଼ିକୁ କିପରି ସଠିକ୍‌ ବନ୍ଦୋବସ୍ତ କରାଯାଇପାରିବ ସେଥିନେଇ ଆଲୋଚନା ହୋଇଥିଲା । ଏଥି ସହିତ ଜଗନ୍ନାଥଙ୍କ ଜମିକୁ ଅସଦ ଉପାୟରେ ଜବରଦଖଲ ନେଇ ତଦନ୍ତ ହେବା ସହ ଆବଶ୍ୟକ ସ୍ଥଳେ ଏହାକୁ ନିଲାମ ପ୍ରକ୍ରିୟାରେ ସାମିଲ କରିବା ନେଇ ଆଲୋଚନା ହୋଇଥିଲା । ଏହି ପ୍ରକ୍ରିୟା ଫଳରେ ଦୀର୍ଘଦିନ ଧରି ବସବାସ କରୁଥିବା ସେବକ-ନିଯୋଗମାନେ ବସବାସ କରୁଥିବା ଜମିରେ ନିଜର ଅଧିକାର ସାବ୍ୟସ୍ତ କରିପାରିବେ । ଏଥି ସହିତ ଜବରଦଖଲରେ ଥିବା ଜମିରୁ ସର୍ବାଧିକ ମୂଲ୍ୟ ଜରିଆରେ ଆଦାୟ ଅର୍ଥ ଶ୍ରୀଜଗନ୍ନାଥ ଓ ଶ୍ରୀମନ୍ଦିର ପାଣ୍ଠିକୁ ଆସିପାରିବ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ମତବ୍ୟକ୍ତ କରିଛନ୍ତି ।

ଏହି ବୈଠକରେ ଲ’ କମିଶନର ଜଷ୍ଟିସ୍‌ ବିଶ୍ୱନାଥ ରଥ, ପୂର୍ବତନ ଆଡ୍‌ଭୋକେଟ୍‌ ଜେନେରାଲ ଶ୍ରୀ ସୂର୍ଯ୍ୟ ମିଶ୍ର, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀ, ଆଇନ ବିଭାଗ ପ୍ରମୁଖ ଶାସନ ସଚିବ ଡ. ପବିତ୍ର ମୋହନ ସାମଲ, ଦେବୋତ୍ତର ଆୟୁକ୍ତ ସତ୍ୟ ନାରାୟଣ ଷଡ଼ଙ୍ଗୀ ଏବଂ ଅତିରିକ୍ତ ଶାସନ ସଚିବ ଶ୍ରୀ ଶିବ ପ୍ରସାଦ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

 

Related Articles

Back to top button