ଆବାସିକ ସ୍କୁଲରେ ଛାତ୍ରୀଙ୍କୁ ନେଇ ସାଂଘାତିକ ଘଟଣା, ସରକାରଙ୍କୁ ଘେରିଲା ବିଜେଡି

ଆବାସିକ ବିଦ୍ୟାଳୟରେ ପାଠପଢ଼ା ସହ ଛାତ୍ରୀଙ୍କ ସୁରକ୍ଷାର ଦାୟିତ୍ୱ ମଧ୍ୟ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କର। ହେଲେ ମୟୂରଭଞ୍ଜର ଏହି ଘଟଣା ଉଠାଇଛି ସୁରକ୍ଷା ବ୍ୟବସ୍ଥାକୁ ନେଇ ଅନେକ ପ୍ରଶ୍ନ। ଦଶମ ଶ୍ରେଣୀର ଜଣେ ଆଦିବାସୀ ଛାତ୍ରୀ ଗର୍ଭବତୀ ହେବା ଏବଂ ପରବର୍ତ୍ତୀ ସମୟରେ ଶିଶୁପୁତ୍ରକୁ ଜନ୍ମ ଦେବା ଘଟଣାକୁ ତୀବ୍ର ନିନ୍ଦା କରିଛି ବିଜେଡି। ଦଳର ଅଭିଯୋଗ, ବିଜେପି ସରକାରଙ୍କ ବେଟି ବଚାଓ, ବେଟି ପଢ଼ାଓ ସ୍ଲୋଗାନ କେବଳ ପ୍ରଚାରରେ ସୀମିତ ରହିଯାଇଛି। ଶିକ୍ଷାନୁଷ୍ଠାନରେ ଛାତ୍ରୀଙ୍କ ସୁରକ୍ଷା ପ୍ରତି ସରକାର ଅସମ୍ବେଦନଶୀଳ ହୋଇପଡ଼ିଥିବା ଅଭିଯୋଗ ଆଣିଛି ବିଜେଡି।
ଘଟଣାର ସବୁଠୁ ଚିନ୍ତାଜନକ ଦିଗ ହେଉଛି, ପ୍ରାୟ ୭ ମାସ ଧରି ଛାତ୍ରୀ ଜଣକ ଗର୍ଭବତୀ ଥିବା ସତ୍ତ୍ୱେ ବିଦ୍ୟାଳୟ କର୍ତ୍ତୃପକ୍ଷ କେମିତି ଏହା ଜାଣିପାରିଲେ ନାହିଁ? କେଉଁଠି ରହିଲା ତଦାରଖ ବ୍ୟବସ୍ଥାରେ ତ୍ରୁଟି? କିଏ ଏଥିପାଇଁ ଦାୟୀ? ଏସବୁ ପ୍ରଶ୍ନର ଉତ୍ତର ଦାବି କରିଛି ବିଜେଡି। ଘଟଣାର ନ୍ୟାୟିକ ତଦନ୍ତ, ଦୋଷୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ, ଛାତ୍ରୀ ଓ ନବଜାତ ଶିଶୁଙ୍କୁ ଉପଯୁକ୍ତ ଚିକିତ୍ସା ଏବଂ ପୀଡ଼ିତାଙ୍କ ସୁରକ୍ଷା ଦାବି କରିଛି ଦଳ।
କେବଳ ବୟାନବାଜି ନୁହେଁ, ଘଟଣାର ବାସ୍ତବ ସ୍ଥିତି ଅନୁଧ୍ୟାନ ପାଇଁ ମଇଦାନକୁ ଓହ୍ଲାଇଛି ବିଜେଡି। ଦଳର ଏକ ପ୍ରତିନିଧି ମଣ୍ଡଳୀ ବାରିପଦାସ୍ଥିତ ପିଆରଏମ୍ ମେଡିକାଲ କଲେଜ ଓ ହସ୍ପିଟାଲରେ ପହଞ୍ଚି ଛାତ୍ରୀଙ୍କୁ ଭେଟିଥିଲେ। ପରେ ବ୍ଲକ୍ ଶିକ୍ଷାଧିକାରୀଙ୍କ ସହ ଆଲୋଚନା କରିବା ସହ ସମ୍ପୃକ୍ତ ଆବାସିକ ବିଦ୍ୟାଳୟ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ। ଏହି ପ୍ରତିନିଧି ମଣ୍ଡଳୀରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା, ପୂର୍ବତନ ବଡ଼ସାହି ବିଧାୟକ ଗଣେଶ୍ୱର ପାତ୍ରଙ୍କ ସମେତ ଅନ୍ୟ ଦଳୀୟ ନେତା ଓ ଜିଲ୍ଲା ପରିଷଦ ସଦସ୍ୟମାନେ ସାମିଲ ଥିଲେ।




