ଯମୁନା ଏକ୍ସପ୍ରେସ-ୱେରେ ଚଳନ୍ତା ବସ୍ରେ ନିଆଁ: ୯ ଯାତ୍ରୀ ଜୀବନ୍ତ ଦଗ୍ଧ


ନୂଆଦିଲ୍ଲୀ: ଯମୁନା ଏକ୍ସପ୍ରେସ୍-ୱେରେ ଏକ ଚଳନ୍ତା ସ୍ଲିପର୍ ବସରେ ଭୟାବହ ଅଗ୍ନିକାଣ୍ଡ ଘଟି ଜଣେ ମହିଳାଙ୍କ ସମେତ ୯ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଛନ୍ତି। ବୁଧବାର ବିଳମ୍ବିତ ରାତି ପ୍ରାୟ ୧୧:୩୦ ସମୟରେ ଦିଲ୍ଲୀରୁ ଉତ୍ତର ପ୍ରଦେଶର ମହୋବା ଯାଉଥିବା ବସରେ ନୋଏଡ଼ା-ଆଗ୍ରା ରୁଟ୍ର ୩୩ କିଲୋମିଟର ନିକଟରେ ଏହି ଦୁର୍ଘଟଣା ଘଟିଛି। ପୋଲିସ ଦ୍ୱାରା ରୁଜୁ ଏଫଆଇଆର୍ ଅନୁଯାୟୀ, ବସ୍ରୁ ପୋଡ଼ା ଗନ୍ଧ ବାହାରିବା ନେଇ ଯାତ୍ରୀମାନେ ଅଭିଯୋଗ କରିଥିଲେ ହେଁ ଡ୍ରାଇଭର୍ ଓ କଣ୍ଡକ୍ଟର ସେମାନଙ୍କ କଥାକୁ ଆଦୌ କର୍ଣ୍ଣପାତ କରିନଥିଲେ। ଗାଡ଼ି ନରଖି ଉଭୟ ବିଡ଼ି-ସିଗାରେଟ୍ ଟାଣିବା ଜାରି ରଖିବା ସହ ଗାଡ଼ି ରୋକିବାକୁ ଦାବି କରୁଥିବା ଯାତ୍ରୀଙ୍କୁ ଧମକ ବି ଦେଇଥିଲେ। ଏଥିସହିତ ଗାଡ଼ିରେ ଅଗ୍ନିକାଣ୍ଡ ଘଟିବା ଯୋଗୁଁ ଶୋଇଥିବା ଯାତ୍ରୀମାନେ ନିଆଁ ଓ ଧୂଆଁରେ ଶ୍ୱାସରୁଦ୍ଧ ହୋଇପଡ଼ିଥିଲେ। କିଛି ଯାତ୍ରୀ କାଚ ଭାଙ୍ଗି ଚଳନ୍ତା ବସରୁ ଡେଇଁ କୌଣସି ମତେ ଜୀବନ ବଞ୍ଚାଇଥିଲେ। ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଡ୍ରାଇଭର ପବନ ଓ କଣ୍ଡକ୍ଟର ଯୋଗେଶଙ୍କୁ ପୋଲିସ ହେପାଜତକୁ ନେଇଛି। ଶର୍ଟ ସର୍କିଟ୍ ଯୋଗୁଁ ଏହି ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଦୁର୍ଘଟଣାରେ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କା ଏବଂ ଆହତମାନଙ୍କ ପାଇଁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି।



