
MSMEରେ ସମୃଦ୍ଧି, ଖଦି ଓ ଗ୍ରାମୋଦ୍ୟୋଗରେ ଆତ୍ମନିର୍ଭରତା। ସ୍ୱଦେଶୀ ଉତ୍ପାଦକୁ ପ୍ରୋତ୍ସାହନ ସହ ଉଦ୍ୟୋଗୀଙ୍କୁ ମିଳିବ ନୂଆ ବଜାର। ଏହି ଲକ୍ଷ୍ୟ ନେଇ ଆରମ୍ଭ ହୋଇଛି ଓଡ଼ିଶା ଖଦି ଓ MSME ଏକ୍ସପୋ-୨୦୨୬।ଏକ୍ସପୋର ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ MSME ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। କହିଛନ୍ତି, MSME ହେଉଛି ବିକାଶର ସଶକ୍ତ ସ୍ତମ୍ଭ ଏବଂ ଖଦି ହେଉଛି ସ୍ୱଦେଶୀ ଓ ସ୍ୱାବଲମ୍ବନର ପ୍ରତୀକ। ଏଥିସହ ସପ୍ତାହରେ ଅନ୍ତତଃ ଗୋଟିଏ ଦିନ ଖଦି ପୋଷାକ ପିନ୍ଧିବାକୁ ସେ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି।
ନଭେମ୍ବର ୨୫ରୁ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଏକ୍ସପୋ। ଏଥିପାଇଁ ମୋଟ ୧୮୦ଟି ଷ୍ଟଲ୍ର ବ୍ୟବସ୍ଥା କରାଯାଇଛି। ଏଥିରେ ୮୦ଟି MSME, ୫୦ଟି ଖଦି ଓ ଗ୍ରାମୋଦ୍ୟୋଗ, ୧୦ଟି ଷ୍ଟାର୍ଟଅପ୍ ଏବଂ ବିଭିନ୍ନ ସରକାରୀ ସଂସ୍ଥା ପାଇଁ ଷ୍ଟଲ୍ ରହିଛି। ଏହି ଏକ୍ସପୋ ଦ୍ୱାରା ଉଦ୍ୟୋଗୀମାନେ ନିଜ ଉତ୍ପାଦର ପ୍ରଚାର, ବ୍ରାଣ୍ଡିଂ ଓ ନୂଆ ବଜାର ସୃଷ୍ଟି କରିବାର ସୁଯୋଗ ପାଇବେ। ପ୍ରତିଦିନ ସନ୍ଧ୍ୟାରେ ରହିବ ସାଂସ୍କୃତିକ କାର୍ଯ୍ୟକ୍ରମ। ଏହାସହ ଉଦ୍ୟୋଗୀଙ୍କୁ ସରକାରୀ ଯୋଜନା ଓ ବିଭିନ୍ନ ସୁବିଧା ବିଷୟରେ ଜଣାଇବା ପାଇଁ ଆୟୋଜନ ହେବ ସେମିନାର ଓ ଆଲୋଚନାଚକ୍ର।
ସକାଳ ୧୧ଟାରୁ ରାତି ୯ଟା ୩୦ ପର୍ଯ୍ୟନ୍ତ ଖୋଲା ରହିବ ଷ୍ଟଲ୍। ତେବେ ଖଦି, ଗ୍ରାମୋଦ୍ୟୋଗ ଓ ସ୍ଥାନୀୟ ଉଦ୍ୟୋଗୀଙ୍କୁ ନୂଆ ପରିଚୟ ଦେବା ସହ ଓଡ଼ିଶାର ଅର୍ଥନୀତିକୁ ଆଗକୁ ନେବାରେ ଏହି ଏକ୍ସପୋ କେତେ ସହାୟକ ହେଉଛି, ତାହା ଉପରେ ରହିଛି ନଜର।




