ଓଡ଼ିଶାଶିକ୍ଷା

୧୫ଟି ସୁପାରିଶକୁ ମଞ୍ଜୁରୀ, ଉପକୃତ ହେବେ ୨ ଲକ୍ଷରୁ ଅଧିକ ଶିକ୍ଷକ

ଶିକ୍ଷକଙ୍କ ଦୀର୍ଘଦିନର ଦାବିକୁ ମିଳିଲା ସରକାରୀ ସ୍ୱୀକୃତି। ଶିକ୍ଷା କ୍ଷେତ୍ରରେ ସୁଦୃଢ଼ୀକରଣ ଓ ଶିକ୍ଷକ ସମାଜର କଲ୍ୟାଣ ପାଇଁ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ଐତିହାସିକ ବୋଲି କହିଛି ବିଜେପି। ଶନିବାର ଭୁବନେଶ୍ୱରସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସମ୍ପାଦକ ବିରଞ୍ଚି ନାରାୟଣ ତ୍ରିପାଠୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ତାଙ୍କ କହିବା ଅନୁସାରେ, ଶିକ୍ଷକ ଓ ଅଧ୍ୟାପକଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସରକାର ଏକ ଉଚ୍ଚସ୍ତରୀୟ କ୍ଷମତାସମ୍ପନ୍ନ କମିଟି ଗଠନ କରିଥିଲେ। ଅବସରପ୍ରାପ୍ତ ଆଇଏଏସ୍ ଅଶୋକ କୁମାର ତ୍ରିପାଠୀଙ୍କ ନେତୃତ୍ୱରେ ଏହି କମିଟି ୧୦୪ଟି ଶିକ୍ଷକ ସଂଗଠନର ପ୍ରତିନିଧିଙ୍କ ସହ ପ୍ରାୟ ୯୦ଟି ବୈଠକ କରିଥିଲା। ସେପ୍ଟେମ୍ବର ୨୨ ତାରିଖ ସୁଦ୍ଧା ସରକାରଙ୍କୁ ରିପୋର୍ଟ ଦାଖଲ କରାଯାଇଥିଲା। ଏହି ରିପୋର୍ଟ ଆଧାରରେ ପ୍ରଥମ ପର୍ଯ୍ୟାୟରେ ୧୫ଟି ସୁପାରିଶ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ହୋଇଛି।

ପ୍ରଥମତଃ, ୨୦୧୩ରେ ସରକାରୀ ବ୍ଲକ୍ ଗ୍ରାଣ୍ଟ ଅନୁଦାନରୁ ବଞ୍ଚିତ ହୋଇଥିବା ୧୯୪ଟି ଉଚ୍ଚ ବିଦ୍ୟାଳୟକୁ ଅନୁଦାନଭୁକ୍ତ କରାଯିବ। ଦ୍ୱିତୀୟତଃ, ପାର୍ଟ ଟାଇମ୍ କଳା, ସଙ୍ଗୀତ ଓ କ୍ରୀଡ଼ା ଶିକ୍ଷକଙ୍କ ମାସିକ ପାରିଶ୍ରମିକ ୧୦ ହଜାରରୁ ୧୬ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ଅର୍ଥାତ୍ ୬୦ ପ୍ରତିଶତ ବୃଦ୍ଧି। ତୃତୀୟତଃ, ପ୍ରାଥମିକ ଶିକ୍ଷକଙ୍କ ବହୁଦିନର ପଦୋନ୍ନତି ଦାବି ପୂରଣ ହୋଇଛି। ୪ ବର୍ଷ ଓ ୮ ବର୍ଷରେ ନିୟମିତ ପଦୋନ୍ନତି ସହ ଯୋଗ୍ୟ ଶିକ୍ଷକମାନେ ବିଇଓ ଓ ଡିଇଓ ପଦବି ପର୍ଯ୍ୟନ୍ତ ପଦୋନ୍ନତିର ସୁଯୋଗ ପାଇବେ। ଏହାଦ୍ୱାରା ୨ ଲକ୍ଷରୁ ଅଧିକ ପ୍ରାଥମିକ ଶିକ୍ଷକ ଉପକୃତ ହେବେ ବୋଲି ବିଜେପି ପକ୍ଷରୁ କୁହାଯାଇଛି।

ଏହାବ୍ୟତୀତ ୨୦୧୬ରୁ ୨୦୧୮ ମଧ୍ୟରେ ନିଯୁକ୍ତ ଶିକ୍ଷା ସହାୟକଙ୍କୁ ନିୟମିତ କରିବା, ସଂସ୍କୃତ ଟୋଲ୍‌ରେ ନିୟମିତ ଶିକ୍ଷକ ନିଯୁକ୍ତି, କ୍ଲାସିକାଲ୍ ଶିକ୍ଷକଙ୍କୁ ଟିଜି ଶିକ୍ଷକ ଯୋଗ୍ୟତା ତାଲିକାରେ ସାମିଲ କରିବା ଏବଂ ଧନ୍ଦାମୂଳକ ପ୍ରଶିକ୍ଷକଙ୍କୁ ନିୟମିତ ବେତନ ପ୍ରଦାନ ଭଳି ନିଷ୍ପତ୍ତି ନିଆଯାଇଛି। ସେହିପରି ଓଡ଼ିଶା କନିଷ୍ଠ ଶିକ୍ଷକଙ୍କୁ ଅଧିକ ଯୋଗ୍ୟତା ହାସଲ ପାଇଁ ସୁଯୋଗ, ମାଧ୍ୟମିକ ଶିକ୍ଷକଙ୍କ ବକେୟା ଦରମା ପ୍ରଦାନ ଏବଂ ଆଦର୍ଶ ବିଦ୍ୟାଳୟର କର୍ମଚାରୀଙ୍କ ଦରମା ଓ ଅନ୍ୟାନ୍ୟ ସୁବିଧା ନେଇ ମଧ୍ୟ ପଦକ୍ଷେପ ନିଆଯାଇଛି।

ଆଦର୍ଶ ବିଦ୍ୟାଳୟର ଆବାସିକ ଛାତ୍ରାବାସକୁ କାର୍ଯ୍ୟକ୍ଷମ କରିବା ଏବଂ ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ଲାଗି ଆଧୁନିକ ପରୀକ୍ଷାଗାର ସ୍ଥାପନ ଭଳି ନିଷ୍ପତ୍ତି ମଧ୍ୟ ରହିଛି।

Related Articles

Back to top button