୧୮ରେ ଭୀଷଣ ରୂପ ନେବ ବାତ୍ୟା !

ସ୍ପଷ୍ଟ ହେଲା ବାତ୍ୟାର ଗତିପଥ । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସମ୍ଭାବ୍ୟ ସାଇକ୍ଲୋନର ଗତିପଥ ଜାରି ହୋଇଛି। ସମୁଦ୍ର ଭିତରେ ଅଧିକ ଘନୀଭୂତ ହୋଇ ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବା ସମ୍ଭାବନା ରହିଛି। ଅର୍ଥାତ ୧୮ ତାରିଖରେ ଏହା ଭୀଷଣ ବାତ୍ୟାରେ ପରିଣତ ହୋଇପାରେ।
ଏବେ ସ୍ପଷ୍ଟ ଚିହ୍ନିତ ଲଘୁଚାପ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି।୨୪ ଘଣ୍ଟାରେ ସମାନ ଅଞ୍ଚଳରେ ସୃଷ୍ଟି ହୋଇପାରେ ଅବପାତ। ପରବର୍ତ୍ତୀ ସମୟରେ ଏହା ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆହୁରି ଘନୀଭୂତ ହେବ। ଆସନ୍ତା ୧୬ ତାରିଖ ସନ୍ଧ୍ୟା ସୁଦ୍ଧା କେନ୍ଦ୍ରୀୟ ବଙ୍ଗୋପସାଗର ଦକ୍ଷିଣ ଭାଗରେ ଏହା ବାତ୍ୟାର ରୂପ ନେବା ସମ୍ଭାବନା ରହିଛି। ତେବେ ସମ୍ଭାବ୍ୟ ସାଇକ୍ଲୋନ୍ କେଉଁ ଉପକୂଳ ମୁହାଁଇବ, ସେନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇନି।
ତେବେ ବାତ୍ୟା ପ୍ରଭାବରେ ଓଡ଼ିଶା ବର୍ଷା ପବନ ହୋଇପାରେ। ଆସନ୍ତା ୧୭ ତାରିଖରୁ କିଛି କିଛି ସ୍ଥାନରେ ହୋଇପାରେ ବର୍ଷା ପବନ। ଆସନ୍ତା ୧୭ ଓ ୧୮ ତାରିଖରେ ଦକ୍ଷିଣ ଓଡ଼ିଶା ଉପକୂଳ ତଥା ଏହାର ଆଖପାଖ ସମୁଦ୍ର ମଧ୍ୟରେ ଝଡ଼ତୋଫାନ ସହ ପବନର ବେଗ ଘଣ୍ଟା ପ୍ରତି ୪୫-୫୫ କିଲୋମିଟର ରହିପାରେ। ଏଥିପାଇଁ ୧୭ ଓ ୧୮ ଦୁଇ ଦିନ ମତ୍ସ୍ୟଜୀବୀଙ୍କୁ ଦକ୍ଷିଣ ଓଡ଼ିଶା ଉପକୂଳ ଓ ଏହାର ଆଖପାଖ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି।




