Breaking Newsଅପରାଧଜାତୀୟ

ବିଧାୟକଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ । ଗିରଫ ଦାବିରେ ତେଜିଲା ରାଜନୀତି!

ମୋବାଇଲ ନ୍ୟୁଜ 24×7 ବ୍ୟୁରୋ : ହଁ ଆଜ୍ଞା, ଯେଉଁ ହାତରେ ଲୋକଙ୍କୁ ନ୍ୟାୟ ଦେବାର ଦାୟିତ୍ୱ, ସେହି ଜନପ୍ରତିନିଧିଙ୍କ ବିରୋଧରେ ଉଠିଛି ଏତେ ବଡ଼ ଅଭିଯୋଗ। ଅଭିଯୋଗର ତୀର ଯାଇଛି ଝାଡ଼ଖଣ୍ଡର କଂଗ୍ରେସ ବିଧାୟକ ଭୂଷଣ ବାରାଙ୍କ ଆଡ଼କୁ। ନାବାଳିକାଙ୍କ ଅଭିଯୋଗ ଅନୁସାରେ, ସେ ସିମଡେଗା ଜିଲ୍ଲାର ବାସିନ୍ଦା। ଗତ ମେ ମାସରେ ସ୍କୁଲରେ ନାମ ଲେଖାଇବାର ପ୍ରତିଶ୍ରୁତି ଦେଇ ବିଧାୟକଙ୍କ ପରିବାର ଲୋକେ ତାଙ୍କୁ ରାଞ୍ଚି ଆଣିଥିଲେ। କିନ୍ତୁ ସ୍କୁଲରେ ପଢ଼ାଇବା ବଦଳରେ ତାଙ୍କୁ ବିଧାୟକଙ୍କ ସରକାରୀ ବାସଭବନରେ ଘରୋଇ କାମରେ ନିୟୋଜିତ କରାଯାଇଥିଲା।

ସବୁଠାରୁ ସାଂଘାତିକ ଅଭିଯୋଗ ହେଉଛି, ନାବାଳିକାଙ୍କ କହିବା ଅନୁସାରେ ଅଗଷ୍ଟ ୫ ତାରିଖରେ ବିଧାୟକ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ଏହାପରେ ସେ ଗର୍ଭବତୀ ହୋଇଥିବା ଏବଂ ପରବର୍ତ୍ତୀ ସମୟରେ ଗର୍ଭପାତ ହୋଇଥିବା ମଧ୍ୟ ଅଭିଯୋଗ କରିଛନ୍ତି। ଖାଲି ସେତିକି ନୁହେଁ, ଏହି ଘଟଣାକୁ ବିରୋଧ କରିବାରୁ ତାଙ୍କୁ ମାଡ଼ ମରାଯିବା ସହ କାହା ଆଗରେ ମୁହଁ ଖୋଲିଲେ ହତ୍ୟା କରିଦେବାକୁ ଧମକ ଦିଆଯାଇଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି। ବିଧାୟକଙ୍କ ପରିବାରର ଅନ୍ୟ ସଦସ୍ୟଙ୍କ ବିରୋଧରେ ମଧ୍ୟ ନିର୍ଯାତନା ଅଭିଯୋଗ ଆଣିଛନ୍ତି ନାବାଳିକା।

ଘଟଣାକୁ ନେଇ ଧୁର୍ୱା ଥାନାରେ ପୋକ୍ସୋ ଆଇନ ଏବଂ ଜୁଭେନାଇଲ୍ ଜଷ୍ଟିସ୍ ଆକ୍ଟ ଅନୁଯାୟୀ ମାମଲା ରୁଜୁ ହୋଇଛି। ହାଟିଆ ଡିଏସପି ନୀରଜ କୁମାରଙ୍କ ସୂଚନା ଅନୁସାରେ, ପୀଡ଼ିତାଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ସଦର ହସ୍ପିଟାଲ ପଠାଯାଇଛି। ତାଙ୍କ ବୟାନ ରେକର୍ଡ କରାଯିବା ସହ ଘଟଣାର ତଦନ୍ତ ଜାରି ରହିଛି। ଅନ୍ୟପଟେ ନିଜ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ମିଥ୍ୟା ଓ ଭ୍ରମାତ୍ମକ ବୋଲି କହିଛନ୍ତି ବିଧାୟକ ଭୂଷଣ ବାରା। ତାଙ୍କୁ ବଦନାମ କରିବା ପାଇଁ କଂଗ୍ରେସରୁ ବହିଷ୍କୃତ କିଛି ଲୋକ ଏଭଳି ଷଡ଼ଯନ୍ତ୍ର ରଚିଥିବା ସେ ପାଲଟା ଅଭିଯୋଗ କରିଛନ୍ତି।

ସେପଟେ ଏହି ଘଟଣାକୁ ନେଇ ଝାଡ଼ଖଣ୍ଡରେ ତେଜିଛି ରାଜନୀତି। ବିଜେପି ରାଜ୍ୟ ସଭାପତି ଆଦିତ୍ୟ ସାହୁ ବିଧାୟକଙ୍କ ତୁରନ୍ତ ଗିରଫ ଏବଂ ପୀଡ଼ିତାଙ୍କ ପରିବାରକୁ ସୁରକ୍ଷା ଦେବାକୁ ଦାବି କରିଛନ୍ତି। ଏପରିକି ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ନୀରବତାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛି ବିଜେପି। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସରକାରକୁ ମଧ୍ୟ ଘେରିଛନ୍ତି ବିରୋଧୀ।

Related Articles

Back to top button