ଓଡ଼ିଶାରେ ବନ୍ଦ ହେବ ଉବେର ଓ ରାପିଡୋ

ଘରୋଇ ପଞ୍ଜୀକରଣ ଥିବା ବାଇକ୍ରେ ଆଉ କରିହେବନି ବାଣିଜ୍ୟିକ ଯାତ୍ରୀ ପରିବହନ। ଏଭଳି ବେଆଇନ କାର୍ଯ୍ୟ ଉପରେ ଏବେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ଓଡ଼ିଶା କ୍ରାଇମବ୍ରାଞ୍ଚ। ଉବେର ଓ ରାପିଡୋକୁ ୧୫ ଦିନ ମଧ୍ୟରେ ଏଭଳି ବାଇକ୍ ଟ୍ୟାକ୍ସି ସେବା ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଧାର୍ଯ୍ୟ ସମୟ ମଧ୍ୟରେ ନିର୍ଦ୍ଦେଶ ପାଳନ ନକଲେ ଉଭୟ ସଂସ୍ଥା ବିରୋଧରେ ହୋଇପାରେ ଆଇନଗତ କାର୍ଯ୍ୟାନୁଷ୍ଠାନ।
ମୋଟର ଯାନ ଆଇନ ୧୯୮୮ ଏବଂ ଓଡ଼ିଶା ଅନ୍-ଡିମାଣ୍ଡ ଟ୍ରାନ୍ସପୋର୍ଟେସନ୍ ଟେକ୍ନୋଲୋଜି ଏଗ୍ରିଗେଟର୍ସ ଗାଇଡଲାଇନ୍ସ ୨୦୨୩ର ଉଲ୍ଲଂଘନ କରି ଘରୋଇ ପଞ୍ଜୀକରଣ ଥିବା ବାଇକ୍କୁ ବାଣିଜ୍ୟିକ ଯାତ୍ରୀ ପରିବହନରେ ବ୍ୟବହାର କରାଯାଉଥିବା କ୍ରାଇମବ୍ରାଞ୍ଚ ଦର୍ଶାଇଛି। କଟକ, ଭୁବନେଶ୍ୱର-୧ ଏବଂ ଭୁବନେଶ୍ୱର-୨ ଆରଟିଓ ପକ୍ଷରୁ ଦାଖଲ ହୋଇଥିବା ସ୍ୱତନ୍ତ୍ର ଏନ୍ଫୋର୍ସମେଣ୍ଟ ରିପୋର୍ଟ ଆଧାରରେ ଏହି କଡ଼ା ପଦକ୍ଷେପ ନିଆଯାଇଛି। ନଭେମ୍ବର ୧୦ ତାରିଖରେ ଏନେଇ ଚିଠି ଜାରି ହୋଇଥିବା ଜଣାପଡ଼ିଛି।
ସବୁଠାରୁ ବଡ଼ କଥା ହେଉଛି, ଗତ ତିନି ବର୍ଷ ଧରି ଏଭଳି କାର୍ଯ୍ୟ ନକରିବାକୁ ସଂସ୍ଥାଗୁଡ଼ିକୁ ବାରମ୍ବାର କୁହାଯାଉଥିଲେ ମଧ୍ୟ ଏହାକୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି। ପରିବହନ ବିଭାଗର ଚିଠି ପରେ ଏବେ କ୍ରାଇମବ୍ରାଞ୍ଚ ଆକ୍ସନ୍ ମୋଡ୍କୁ ଆସିଛି। କେବଳ ସେତିକି ନୁହେଁ, ରାଜ୍ୟ ପରିବହନ ପ୍ରାଧିକରଣ ବା ଏସ୍ଟିଏ ପକ୍ଷରୁ ମଧ୍ୟ ଉଭୟ ଉବେର ଓ ରାପିଡୋକୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି। ଆପ୍ର ପଞ୍ଜୀକରଣ କାହିଁକି ରଦ୍ଦ କରାଯିବ ନାହିଁ, ସେନେଇ ଉଭୟ ସଂସ୍ଥାଠାରୁ ଜବାବ ମଗାଯାଇଛି। ନିର୍ଦ୍ଧାରିତ ସମୟରେ ଉତ୍ତର ନମିଳିଲେ ଆଗକୁ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଏସ୍ଟିଏର ଅତିରିକ୍ତ କମିଶନର ଦୀପ୍ତି ପାତ୍ର ସ୍ପଷ୍ଟ କରିଛନ୍ତି।
ସୂଚନା ଅନୁସାରେ, ବର୍ତ୍ତମାନ ଉଭୟ ସଂସ୍ଥାର ୩ ହଜାରରୁ ଅଧିକ ବାଇକ୍ ରାଜ୍ୟରେ ଚଳାଚଳ କରୁଛି। ତେଣୁ ଏହି ନିର୍ଦ୍ଦେଶ ପରେ ବାଇକ୍ ଟ୍ୟାକ୍ସି ଚାଳକଙ୍କଠାରୁ ଆରମ୍ଭ କରି ଯାତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମଧ୍ୟରେ ଚର୍ଚ୍ଚା ଜୋର୍ ଧରିଛି। ତେବେ ଏଠାରେ ଗୋଟିଏ କଥା ସ୍ପଷ୍ଟ କରିଦେବା ଜରୁରୀ। ଏହି କଟକଣା କେବଳ ଅନୁମତି ନଥିବା ଘରୋଇ ପଞ୍ଜୀକରଣର ବାଇକ୍ ଟ୍ୟାକ୍ସି ସେବା ପାଇଁ ଉଦ୍ଦିଷ୍ଟ।




