
ଭୁବନେଶ୍ୱର, ୦୪/୦୬/୨୦୨୭: ଆଗାମୀ ରାଜ୍ୟସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ତାର ସସପେନ୍ସ ଉପରୁ ପରଦା ହଟାଇଛି। ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟଙ୍କୁ ବିଜେପି ନିଜର ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରି ସମସ୍ତଙ୍କୁ ଚକିତ କରିଦେଇଛି। ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ଏହି ହାଇ-ପ୍ରୋଫାଇଲ୍ ତାଲିକା ପ୍ରକାଶ ପାଇବା ପରେ ଓଡ଼ିଶାର ରାଜନୈତିକ କରିଡରରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
ଦେବାଶିଷଙ୍କ ନାମ ଉପରେ ମୋହର ମାରି ବିଜେପି ବିରୋଧୀ ଶିବିରକୁ ଏକ ବଡ଼ ଝଟ୍କା ଦେଇଥିବା କୁହାଯାଉଛି। ନିକଟରେ ବିଜେଡି ଏବଂ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ଦେବାଶିଷ। ଏହା ପରେ ସେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଥିଲେ। ବର୍ତ୍ତମାନ ରାଜ୍ୟରେ ବଦଳିଥିବା ରାଜନୈତିକ ସମୀକରଣ ମଧ୍ୟରେ ବିଜେପି ଟିକେଟରେ ଦେବାଶିଷ ପୁଣି ଥରେ ରାଜ୍ୟସଭାକୁ ଯିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି।
ସୂଚନାଯୋଗ୍ୟ ଯେ, ଆସନ୍ତା ଜୁନ୍ ୧୮ ତାରିଖରେ ଏହି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଦେବାଶିଷଙ୍କ ଭଳି ଜଣେ ପୁରୁଖା ତଥା ଟାଣୁଆ ସଂଗଠକଙ୍କୁ ପ୍ରାର୍ଥୀ କରି ବିଜେପି ଉପକୂଳ ଓଡ଼ିଶା, ବିଶେଷ କରି କଟକ ରାଜନୀତିରେ ନିଜର ସ୍ଥିତିକୁ ଅଧିକ ସୁଦୃଢ଼ କରିବାକୁ ରଣନୀତି ପ୍ରସ୍ତୁତ କରିଥିବା ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି।




