କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର । ୧.୮ ଲକ୍ଷ ଟଙ୍କାର ମିଳିବ ଲାପଟପ୍

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର! କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଅଧୀନସ୍ଥ ବ୍ୟୟ ବିଭାଗ ପକ୍ଷରୁ ଅଫିସ୍ କାମ ପାଇଁ ଲାପଟପ୍, ଟାବଲେଟ୍ ଓ ଅନ୍ୟାନ୍ୟ ଡିଭାଇସ୍ କ୍ରୟ ସମ୍ପର୍କିତ ନୂଆ ନୀତିକୁ ଅନୁମୋଦନ ମିଳିଛି। ଏହି ନୂଆ ନିୟମ ଅନୁଯାୟୀ, ଯୋଗ୍ୟ ଅଧିକାରୀଙ୍କ ପାଇଁ ସରକାର ସର୍ବାଧିକ ୧ ଲକ୍ଷ ୮୦ ହଜାର ଟଙ୍କା ପର୍ଯ୍ୟନ୍ତ ଡିଭାଇସ୍ କିଣିପାରିବେ। ତେବେ ଏଥିରେ ରହିଛି ଏକ ସର୍ତ୍ତ। ଯେଉଁ ଡିଭାଇସ୍ରେ ୪୦ ପ୍ରତିଶତରୁ ଅଧିକ Make in India ଉପାଦାନ ରହିଥିବ, ସେଥିପାଇଁ ସର୍ବାଧିକ ୧.୮ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇପାରିବ।
ଅନ୍ୟ ଡିଭାଇସ୍ ପାଇଁ ଏହି ସୀମା ରହିଛି ୧ ଲକ୍ଷ ୫୦ ହଜାର ଟଙ୍କା। ଏହି ବଜେଟ୍ରେ Apple MacBook Air ଏବଂ MacBook Pro ଭଳି ପ୍ରିମିୟମ୍ ଲାପଟପ୍ ମଧ୍ୟ ସାମିଲ ହୋଇପାରିବ।ଏବେ ଆସନ୍ତୁ ଜାଣିବା ଏହି ନୂଆ ନୀତିର ସବୁଠାରୁ ବଡ଼ ଆକର୍ଷଣ କ’ଣ?ନିୟମ ଅନୁଯାୟୀ, ଜଣେ ଅଧିକାରୀ ୪ ବର୍ଷ ପର୍ଯ୍ୟନ୍ତ ସରକାରୀ କାମରେ ଡିଭାଇସ୍ ବ୍ୟବହାର କରିବା ପରେ ଏହାକୁ ବିନା କୌଣସି ଅତିରିକ୍ତ ଟଙ୍କାରେ ନିଜ ପାଖରେ ରଖିପାରିବେ।କିନ୍ତୁ ତା’ପୂର୍ବରୁ ବିଭାଗ ପକ୍ଷରୁ ଲାପଟପ୍ରେ ଥିବା ସମସ୍ତ ସରକାରୀ ତଥ୍ୟ, ଫାଇଲ୍ ଓ ଗୋପନୀୟ ସୂଚନାକୁ ଡିଲିଟ୍ କରାଯିବ।
ତେବେ ଯଦି କୌଣସି କର୍ମଚାରୀ ୪ ବର୍ଷ ପୂର୍ବରୁ ଅବସର ନିଅନ୍ତି କିମ୍ବା ଚାକିରି ଛାଡ଼ନ୍ତି, ତେବେ କ’ଣ ହେବ?ଏଭଳି ସ୍ଥିତିରେ ଡିଭାଇସ୍ ଫେରାଇବାକୁ ପଡ଼ିବ ନାହିଁ। କିନ୍ତୁ ଏହାକୁ ନିଜ ପାଖରେ ରଖିବା ପାଇଁ ପ୍ରତିବର୍ଷ ୨୫ ପ୍ରତିଶତ ହିସାବରେ ମୂଲ୍ୟହ୍ରାସ କରି ବାକି ରହିଥିବା ମୂଲ୍ୟ ଦେବାକୁ ପଡ଼ିବ।ଏବେ ସବୁଠାରୁ ବଡ଼ ପ୍ରଶ୍ନ, ଏହି ସୁବିଧା କେଉଁମାନଙ୍କୁ ମିଳିବ?ପେ-ଲେଭଲ୍ ୧୨ ଏବଂ ତା’ଠାରୁ ଉପର ସ୍ତରର ସମସ୍ତ ଅନୁମୋଦିତ ପଦବୀରେ ଥିବା ଅଧିକାରୀ ଏହି ସୁବିଧା ପାଇପାରିବେ।ସେହିପରି ପେ-ଲେଭଲ୍ ୮ରୁ ୧୧ ମଧ୍ୟରେ ଥିବା ଅନୁମୋଦିତ ପଦବୀର ୫୦ ପ୍ରତିଶତ କର୍ମଚାରୀଙ୍କୁ ଡିଭାଇସ୍ ଦିଆଯିବ। ଆବଶ୍ୟକତା ଅଧିକ ଥିଲେ ଏହି ସୀମାକୁ ୭୫ ପ୍ରତିଶତ ପର୍ଯ୍ୟନ୍ତ ବଢ଼ାଯାଇପାରିବ।




