ଗଞ୍ଜାମ ବନ୍ୟାକୁ ନେଇ ରାଜନୈତିକ ତାତି! ୨୪ ବର୍ଷର ହିସାବ ମାଗିଲେ ମନ୍ତ୍ରୀ

ବନ୍ୟାର ପାଣି ଛାଡ଼ିଗଲା, ହେଲେ ଥମୁନି ରାଜନୀତିର ତାତି! ଗଞ୍ଜାମରେ ବନ୍ୟା ପରିଚାଳନାକୁ ନେଇ ଏବେ ଜୋର୍ ଧରିଛି ରାଜନୈତିକ ବୟାନବାଜି। ବିରୋଧୀଙ୍କ ଅଭିଯୋଗ ପରେ ଆକ୍ରମଣାତ୍ମକ ମୁଡ୍ରେ ଆସିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ।କେବଳ ବିରୋଧୀଙ୍କ ଅଭିଯୋଗର ଜବାବ ରଖିନାହାନ୍ତି, ବରଂ ପୂର୍ବ ବିଜେଡି ସରକାରର ୨୪ ବର୍ଷର ଶାସନର ହିସାବ ମାଗିଛନ୍ତି। କହିଛନ୍ତି, କେବଳ ପ୍ରଶ୍ନ କଲେ ହେବନି, ନିଜ ଶାସନର ହିସାବ ମଧ୍ୟ ଦେବାକୁ ପଡ଼ିବ।
ଗଞ୍ଜାମରେ ଏଥର ଅସାଧାରଣ ବର୍ଷା ହୋଇଥିବା ଦର୍ଶାଇ ବର୍ଷାର ପରିମାଣ ମଧ୍ୟ ରଖିଛନ୍ତି। ଅକ୍ଟୋବର ୨୮ରେ ୮୩ ମିଲିମିଟର, ୨୯ ତାରିଖରେ ୧୯୧ ମିଲିମିଟର ଏବଂ ପରଦିନ ୬୩ ମିଲିମିଟର ବର୍ଷା ରେକର୍ଡ ହୋଇଥିଲା। ତିନି ଦିନରେ ଜିଲ୍ଲାରେ ମୋଟ ୩୩୭.୬ ମିଲିମିଟର ବର୍ଷା ହୋଇଥିବାବେଳେ ପାତ୍ରପୁରରେ ରେକର୍ଡ ହୋଇଥିଲା ୮୦୪.୮ ମିଲିମିଟର ବର୍ଷା। ଏହା ସହ ବିପର୍ଯ୍ୟୟ ମୁକାବିଲା ପାଇଁ ୮ ଜଣ ମନ୍ତ୍ରୀଙ୍କୁ ପ୍ରଭାବିତ ଅଞ୍ଚଳକୁ ପଠାଯାଇଥିଲା। ବରିଷ୍ଠ ଅଧିକାରୀମାନଙ୍କୁ ମଧ୍ୟ ବିଭିନ୍ନ ଜିଲ୍ଲାରେ ନିୟୋଜିତ କରାଯାଇଥିଲା ବୋଲି ସେ ସ୍ପଷ୍ଟ କରିଛନ୍ତି।ଏହାପରେ ପୂର୍ବ ସରକାରର ଶାସନ ସମୟର ବନ୍ୟା ଓ ବାତ୍ୟା ମୃତ୍ୟୁସଂଖ୍ୟାକୁ ନେଇ ବିରୋଧୀଙ୍କୁ ଘେରିଛନ୍ତି ସୁରେଶ ପୂଜାରୀ।
ତାଙ୍କ କହିବା ଅନୁସାରେ, ୨୦୧୩ ବନ୍ୟାରେ ୨୨ ଜଣ, ୨୦୧୮ରେ ତିତଲି ବାତ୍ୟାରେ ୭୨ ଜଣ ଏବଂ ୨୦୧୯ରେ ଫନି ବାତ୍ୟାରେ ୬୫ ଜଣଙ୍କ ଜୀବନ ଯାଇଥିଲା। ତେବେ ଏଥର ଗଞ୍ଜାମରେ କେତେ ଜଣଙ୍କ ଜୀବନ ଯାଇଛି, ତାହା ନେଇ ବିରୋଧୀଙ୍କୁ ପ୍ରଶ୍ନ କରିଛନ୍ତି ମନ୍ତ୍ରୀ।କେବଳ ବର୍ତ୍ତମାନର ବିପର୍ଯ୍ୟୟ ପରିଚାଳନା ନୁହେଁ, ଆଗାମୀ ୫୦ ବର୍ଷର ଆବଶ୍ୟକତାକୁ ଆଖି ଆଗରେ ରଖି ଭିତ୍ତିଭୂମି ଓ ବିପର୍ଯ୍ୟୟ ପରିଚାଳନାର ଯୋଜନା କରାଯାଉଥିବା ମଧ୍ୟ କହିଛନ୍ତି। ଆସନ୍ତା ୧୮ ତାରିଖରୁ ବିଧାନସଭାରେ ଏହି ପ୍ରସଙ୍ଗରେ ସରକାର ସମସ୍ତ ତଥ୍ୟ ରଖିବେ। ତେଣୁ ସମସ୍ତ ରାଜନୈତିକ ଦଳ ଆଲୋଚନାରେ ଭାଗ ନେବାକୁ ଆହ୍ୱାନ ଦେଇଛନ୍ତି ମନ୍ତ୍ରୀ।




