ଓଡ଼ିଶାରାଜନୀତି

କଂଗ୍ରେସର ରଣହୁଙ୍କାର; ଅକ୍ଟୋବର ୮ରେ ଓଡ଼ିଶା ବନ୍ଦ

ରାଜ୍ୟରେ ଶାସକ ବିଜେପି ସରକାର ବିରୋଧରେ ବଡ଼ ଧରଣର ଆନ୍ଦୋଳନ ଲାଗି ଅଣ୍ଟା ଭିଡ଼ିଛି କଂଗ୍ରେସ ଓ ବିରୋଧୀ ‘ଇଣ୍ଡିଆ’ ମେଣ୍ଟ । ଆସନ୍ତା ଅକ୍ଟୋବର ୮ ତାରିଖରେ ସମଗ୍ର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । କେନ୍ଦ୍ର ସରକାରଙ୍କ ବିବାଦୀୟ MMDR ଆଇନ ସଂଶୋଧନ, ସ୍କୁଲ ପାଠ୍ୟପୁସ୍ତକରେ ବହିତ୍ରୁଟି ଏବଂ ମୁଖ୍ୟ ନିର୍ବାଚନ କମିସନରଙ୍କ ଇସ୍ତଫା ଦାବିରେ ଏହି ବନ୍ଦ ପାଳନ କରାଯିବ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ପାଇଁ ଏହି ବନ୍ଦ ଡାକରାକୁ ସଫଳ କରିବାକୁ ପିସିସି ସଭାପତି ଆହ୍ୱାନ ଦେଇଛନ୍ତି । ଏହି ଲଢ଼େଇ କେବଳ ଏକ ରାଜନୈତିକ ମେଣ୍ଟର ନୁହେଁ, ବରଂ ସାରା ଓଡ଼ିଶାବାସୀଙ୍କ ଅଧିକାରର ଲଢ଼େଇ ବୋଲି ସେ ଉଲ୍ଲେଖ କରିଛନ୍ତି । ରାଜ୍ୟର ସମସ୍ତ ବୁଦ୍ଧିଜୀବୀ, ବ୍ୟବସାୟୀ, ଛାତ୍ର, ଯୁବକ ତଥା ସାଧାରଣ ନାଗରିକଙ୍କୁ ଅକ୍ଟୋବର ୮ରେ ହେବାକୁ ଥିବା ଓଡ଼ିଶା ବନ୍ଦରେ ପୂର୍ଣ୍ଣ ସହଯୋଗ କରିବାକୁ ଭକ୍ତ ଦାସ ନିବେଦନ କରିଛନ୍ତି ।

ଏହି ବନ୍ଦ ପାଳନ ସମୟରେ ଜରୁରୀକାଳୀନ ସେବା ବ୍ୟତୀତ ବାକି ସମସ୍ତ ଯାନବାହାନ ଚଳାଚଳ, ଦୋକାନ ବଜାର ଏବଂ ସରକାରୀ-ବେସରକାରୀ କାର୍ଯ୍ୟାଳୟକୁ ବନ୍ଦ ରଖିବାକୁ ‘ଇଣ୍ଡିଆ’ ବ୍ଲକ୍ ପକ୍ଷରୁ ରଣନୀତି ପ୍ରସ୍ତୁତ କରାଯାଉଛି । ବିଜେଡି ପରେ ଏବେ କଂଗ୍ରେସ ମଧ୍ୟ MMDR ପ୍ରସଙ୍ଗରେ ରାଜରାସ୍ତାକୁ ଓହ୍ଲାଉଥିବାରୁ ଆଗାମୀ ଦିନରେ ରାଜ୍ୟ ରାଜନୀତି ଆହୁରି ସରଗରମ ହେବା ନିଶ୍ଚିତ ।

 

Related Articles

Back to top button