ସାବଧାନ ! ଧଳା ଚାଦରରେ ଘୋଡ଼ି ହେଲାଣି ରାଜ୍ୟ

ଧୀରେ ଧୀରେ ଅନୁଭୂତ ହେଲାଣି ଶୀତ । ଆଉ ଶୀତ ବଢିବା ସହ ଧଳା ଚାଦରରେ ଘୋଡ଼ି ହେଲାଣି ରାଜ୍ୟର ବିଭିନ୍ନ ଅଞ୍ଚଳ । ରାସ୍ତାଘାଟ, ବିଲ, ପୋଖରୀ ଓ ଗଛଲତା ସବୁ କୁହୁଡ଼ିର ଧଳା ଚାଦର ତଳେ ଲୁଚି ଯାଇଛି । ଘନ କୁହୁଡ଼ି ଯୋଗୁଁ ଜାତୀୟ ରାଜପଥଠାରୁ ଆରମ୍ଭ କରି ଗ୍ରାମ୍ୟ ରାସ୍ତା ପର୍ଯ୍ୟନ୍ତ ଯାତାୟାତ ପ୍ରଭାବିତ ହୋଇଛି। ବାଇକ୍, କାର୍ ଓ ବସ୍ ଚାଳକମାନେ ହେଡ୍ଲାଇଟ୍ ଜଳାଇ ଅତି ସତର୍କତାର ସହ ଧୀରେ ଧୀରେ ଗାଡ଼ି ଚଳାଉଛନ୍ତି । ସ୍କୁଲକୁ ଯାଉଥିବା ଛାତ୍ରଛାତ୍ରୀ, କାମକୁ ବାହାରୁଥିବା ଶ୍ରମିକ ଏବଂ ଚାଷୀମାନେ ମଧ୍ୟ ଏଥିପାଇଁ ଅସୁବିଧାର ସମ୍ମୁଖୀନ ହେଲେଣି ।
ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ଅଞ୍ଚଳରେ ସକାଳୁ ସକାଳୁ କୁହୁଡ଼ିର ଘନ ଆସ୍ତରଣ ଛାଇ ଯାଇଛି । ଭୋର ୫ଟାରୁ ଛେଣ୍ଡିପଦା ସମେତ ଆଖପାଖ ଗାଁଗୁଡ଼ିକ କୁହୁଡ଼ିର ଚାଦର ତଳେ ଢାଙ୍କି ହୋଇଯାଇଛି । ଏପରି ସ୍ଥିତି ହୋଇଛି ଯେ, ମାତ୍ର ୧୦ ମିଟର ଦୂରରୁ ମଧ୍ୟ ରାସ୍ତା ଦେଖିବା କଷ୍ଟକର ହୋଇପଡ଼ିଛି । ସେପଟେ କୋରାପୁଟ ସହରରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି । ସକାଳୁ ସକାଳୁ ସାରା ସହର କୁହୁଡ଼ିର ଚାଦର ତଳେ ଢାଙ୍କି ହୋଇଯାଇଛି।




