Breaking Newsବାଣିଜ୍ୟ

ଖସିଲା ସୁନା ଓ ରୁପା ଦର! ଗ୍ରାହକଙ୍କୁ ମିଳିଲା ଆଶ୍ୱସ୍ତି

ପାର୍ବଣ ଋତୁରେ ସୁନା ଓ ରୁପା କିଣିବା ପାଇଁ ଗହଣା ଦୋକାନରେ ଗ୍ରାହକଙ୍କ ଭିଡ଼। ଆଉ ଏହି ସମୟରେ ମିଳିଛି ଆଶ୍ୱସ୍ତିକର ଖବର। ଧନତେରାସରେ ଖସିଛି ସୁନା ଓ ରୁପା ଦର। ଘରୋଇ ବଜାରରେ ଦାମ୍ କମିବା ପରେ ଗ୍ରାହକଙ୍କ ମଧ୍ୟରେ ଦେଖାଦେଇଛି ଉତ୍ସାହ। ଶୁକ୍ରବାର ମଲ୍ଟି କମୋଡିଟି ଏକ୍ସଚେଞ୍ଜ ବା MCXରେ ଡିସେମ୍ବର ଡେଲିଭରି ସୁନା ଦର ୧୦ ଗ୍ରାମ ପିଛା ପ୍ରାୟ ୨ ହଜାର ୩୯୫ ଟଙ୍କା ହ୍ରାସ ପାଇ ୧ ଲକ୍ଷ ୪୧ ହଜାର ୭୦୦ ଟଙ୍କା ନିକଟରେ କାରବାର କରିଥିଲା। ସେହିପରି ରୁପା ଦର କିଲୋଗ୍ରାମ ପିଛା ପ୍ରାୟ ୩ ହଜାର ୧୩୯ ଟଙ୍କା ଖସି ୧ ଲକ୍ଷ ୮୪ ହଜାର ୧ ଟଙ୍କା ନିକଟରେ ପହଞ୍ଚିଥିଲା।

ନଭେମ୍ବର ୬ ତାରିଖର ବଜାର ଦର ଅନୁସାରେ, ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୨ ହଜାର ୫୬୦ ଟଙ୍କା ହ୍ରାସ ପାଇ ୧ ଲକ୍ଷ ୪୩ ହଜାର ୪୬୦ ଟଙ୍କା ରହିଛି। ସେହିପରି ୨୨ କ୍ୟାରେଟ୍ ସୁନା ୨ ହଜାର ୩୫୦ ଟଙ୍କା କମି ୧ ଲକ୍ଷ ୩୧ ହଜାର ୫୦୦ ଟଙ୍କାରେ ପହଞ୍ଚିଛି। ଅନ୍ୟପଟେ ୧୮ କ୍ୟାରେଟ୍ ସୁନା ୧ ହଜାର ୯୩୦ ଟଙ୍କା ହ୍ରାସ ପାଇ ୧ ଲକ୍ଷ ୭ ହଜାର ୫୯୦ ଟଙ୍କା ରହିଛି। କେବଳ ସୁନା ନୁହେଁ, ରୁପା ଦରରେ ମଧ୍ୟ ହୋଇଛି ବଡ଼ ହ୍ରାସ। କିଲୋଗ୍ରାମ ପିଛା ରୁପା ଦର ୫ ହଜାର ଟଙ୍କା କମି ୨ ଲକ୍ଷ ୫ ହଜାର ଟଙ୍କା ରହିଛି।

ତେବେ ଧନତେରାସ ଭଳି ଶୁଭ ଅବସରରେ ସୁନା ଓ ରୁପା ଦର କମିବା ଗ୍ରାହକଙ୍କ ପାଇଁ ନିଶ୍ଚିତ ଭାବେ ଆଶ୍ୱସ୍ତିକର ଖବର। ଦାମ୍ ହ୍ରାସ ପରେ ଗହଣା ବଜାରରେ କିଣାକିଣି ବଢ଼ିବ ବୋଲି ବ୍ୟବସାୟୀମାନେ ଆଶା ରଖିଛନ୍ତି।

 

Related Articles

Back to top button