ଆଉ ନାହାନ୍ତି ଡାକ୍ତର ଅଶୋକ ମହାପାତ୍ର

ଆଖି ବୁଜିଲେ ବିଶିଷ୍ଟ ଚିକିତ୍ସକ, ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ପ୍ରଫେସର ଡା. ଅଶୋକ କୁମାର ମହାପାତ୍ର । କିଛିଦିନ ତଳେ ବ୍ରେନ୍ ଷ୍ଟ୍ରୋକ୍ ହୋଇ ଅସୁସ୍ଥ ହୋଇପଡ଼ିଥିଲେ ଡା. ମହାପାତ୍ର । ଏହା ପରେ ତାଙ୍କୁ ଭୁବନେଶ୍ୱରସ୍ଥିତ ସମ୍ ହସ୍ପିଟାଲ୍ରେ ଚିକିତ୍ସିତ କରାଯାଉଥିଲା । ପରବର୍ତ୍ତୀ ସମୟରେ ଉନ୍ନତ ଚିକିତ୍ସା ନିମନ୍ତେ ତାଙ୍କୁ ନୂଆଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା । ଏହି ସ୍ଥାନାନ୍ତରଣ ସମୟରେ ତାଙ୍କ ସହ ଏକ ସ୍ୱତନ୍ତ୍ର ଡାକ୍ତରୀ ବିଶେଷଜ୍ଞ ଦଳ ମଧ୍ୟ ଯାଇଥିଲେ । ସୋଆ ବିଶ୍ୱବିଦ୍ୟାଳୟର ବରିଷ୍ଠ ଅଧିକାରୀ ଓ ପରିବାର ସଦସ୍ୟ ତାଙ୍କ ଚିକିତ୍ସା ସମ୍ପର୍କରେ ଡାକ୍ତରଙ୍କ ସହ ନିରନ୍ତର ଯୋଗାଯୋଗରେ ରହିଥିଲେ ।
କିନ୍ତୁ ଜୀବନ ଯୁଦ୍ଧରେ ହାରିଗଲେ ଅଶୋକ କୁମାର ମହାପାତ୍ର । ତାଙ୍କ ବିୟୋଗରେ ଚିକିତ୍ସା ଜଗତ ସମେତ ବିଭିନ୍ନ ମହଲରେ ଗଭୀର ଶୋକର ଛାୟା ଖେଳିଯାଇଛି। କନ୍ଧମାଳର ବହୁଚର୍ଚ୍ଚିତ ଯୋଡ଼ାମୁଣ୍ଡ ଶିଶୁ ଜଗା ଓ କାଳିଆଙ୍କ ଅସ୍ତ୍ରୋପଚାରରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। ଜଟିଳ ଅସ୍ତ୍ରୋପଚାର ମାଧ୍ୟମରେ ଉଭୟ ଶିଶୁଙ୍କୁ ଅଲଗା କରି ନୂଆ ଜୀବନ ଦେବାରେ ସେ ସଫଳ ହୋଇଥିଲେ। ଚିକିତ୍ସା କ୍ଷେତ୍ରରେ ତାଙ୍କର ଅସାଧାରଣ ଅବଦାନ ଓ ସେବା ପାଇଁ ଭାରତ ସରକାର ତାଙ୍କୁ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଥିଲେ । ସେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଏବଂ ବର୍ତ୍ତମାନର ପ୍ରିନ୍ସିପାଲ୍ ଆଡ୍ଭାଇଜର ଭାବେ ଦାୟିତ୍ୱ ତୁଲାଇଥିଲେ । ଏହା ପୂର୍ବରୁ ସେ ନୂଆଦିଲ୍ଲୀ ଓ ଭୁବନେଶ୍ୱର ଏମ୍ସର ନିର୍ଦ୍ଦେଶକ ଭାବେ ମଧ୍ୟ ଦକ୍ଷତାର ସହ କାର୍ଯ୍ୟ କରିଥିଲେ ।




