Breaking Newsଜାତୀୟ

ବଦଳିବ ୱେଷ୍ଟ ବେଙ୍ଗଲର ନାଁ ! ଡିସେମ୍ବର ୯ରେ ବିଧାନସଭାରେ ଆସିବ ପ୍ରସ୍ତାବ

ମୋବାଇଲ ନ୍ୟୁଜ 24×7 ବ୍ୟୁରୋ : ପୁଣି ବଦଳିବ ଗୋଟିଏ ରାଜ୍ୟର ନାଁ! କେରଳ ପରେ ଏବେ ପଶ୍ଚିମବଙ୍ଗର ନାମ ପରିବର୍ତ୍ତନକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ‘ୱେଷ୍ଟ ବେଙ୍ଗଲ’ ନୁହେଁ, ଏଣିକି ରାଜ୍ୟର ନାଁ ହେବ ‘ପଶ୍ଚିମ ବଙ୍ଗ’!ଏନେଇ ବିଧାନସଭାରେ ପ୍ରସ୍ତାବ ଆଣିବାକୁ ଯାଉଛନ୍ତି ବିଜେପି ସରକାର। ଆସନ୍ତା ଡିସେମ୍ବର ୯ ତାରିଖରେ ଏହି ପ୍ରସ୍ତାବ ଉପସ୍ଥାପନ ହେବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ।

ବାସ୍ତବରେ ପଶ୍ଚିମବଙ୍ଗର ନାମ ପରିବର୍ତ୍ତନ ପ୍ରସଙ୍ଗ ଆଜିର ନୁହେଁ। ୧୯୪୭ ମସିହାରେ ଦେଶ ବିଭାଜନ ସମୟରେ ବଙ୍ଗଳା ଦୁଇ ଭାଗରେ ବିଭକ୍ତ ହୋଇଥିଲା। ଗୋଟିଏ ଭାଗ ହୋଇଥିଲା ପୂର୍ବ ବଙ୍ଗଳା, ଯାହା ପରବର୍ତ୍ତୀ ସମୟରେ ବାଂଲାଦେଶ ହୋଇଥିଲା। ଅନ୍ୟ ଭାଗଟି ପଶ୍ଚିମ ବଙ୍ଗ ଭାବେ ଗଠିତ ହୋଇଥିଲା। ବିଜେପିର ଯୁକ୍ତି ହେଉଛି, ‘ପଶ୍ଚିମ ବଙ୍ଗ’ ନାମ ରାଜ୍ୟର ଐତିହାସିକ ପରିଚୟ ଓ ବିଭାଜନର ଇତିହାସକୁ ପ୍ରତିଫଳିତ କରେ। ଏହି ପ୍ରସଙ୍ଗରେ ଜନସଂଘର ପ୍ରତିଷ୍ଠାତା ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଭୂମିକାକୁ ମଧ୍ୟ ଗୁରୁତ୍ୱ ଦେଉଛି ବିଜେପି।

ତେବେ ପୂର୍ବରୁ ମଧ୍ୟ ପଶ୍ଚିମବଙ୍ଗର ନାମ ବଦଳାଇବାକୁ ଉଦ୍ୟମ ହୋଇଥିଲା। ୨୦୧୮ ମସିହାରେ ତତ୍କାଳୀନ ମମତା ବାନାର୍ଜୀ ସରକାର ରାଜ୍ୟର ନାମ ‘ବାଂଲା’ ରଖିବାକୁ ବିଧାନସଭାରେ ପ୍ରସ୍ତାବ ପାରିତ କରିଥିଲେ। କିନ୍ତୁ କେନ୍ଦ୍ର ସରକାରଙ୍କ ଅନୁମୋଦନ ନମିଳିବାରୁ ସେହି ପ୍ରସ୍ତାବ ଆଗକୁ ବଢ଼ିପାରିନଥିଲା। ଏବେ ପ୍ରଶ୍ନ ହେଉଛି, କେମିତି ବଦଳିବ ରାଜ୍ୟର ନାଁ? ଭାରତୀୟ ସମ୍ବିଧାନର ଧାରା ୩ ଅନୁସାରେ, କୌଣସି ରାଜ୍ୟର ନାମ ପରିବର୍ତ୍ତନ କରିବାର କ୍ଷମତା ସଂସଦର ରହିଛି।

ପ୍ରସ୍ତାବିତ ପରିବର୍ତ୍ତନ ସମ୍ପର୍କରେ ରାଷ୍ଟ୍ରପତି ସମ୍ପୃକ୍ତ ରାଜ୍ୟ ବିଧାନସଭାର ମତାମତ ନେବେ। ଏହାପରେ ସଂସଦରେ ବିଲ୍ ଆଗତ ହୋଇ ଉଭୟ ଲୋକସଭା ଓ ରାଜ୍ୟସଭାରେ ପାରିତ ହେବା ଆବଶ୍ୟକ। ଶେଷରେ ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିଲେ ହିଁ ନାମ ପରିବର୍ତ୍ତନ ଆଇନଗତ ମାନ୍ୟତା ପାଇବ। ଏହି ପ୍ରକ୍ରିୟାରେ ରାଜ୍ୟ ବିଧାନସଭାର ମତାମତ ନିଆଯାଏ, କିନ୍ତୁ ତାହା ସଂସଦ ପାଇଁ ବାଧ୍ୟତାମୂଳକ ନୁହେଁ।

Related Articles

Back to top button