ଫୁଟବଲରୁ ସନ୍ନ୍ୟାସ ନେଲେ କ୍ରିଷ୍ଟିଆନୋ ରୋନାଲ୍ଡୋ

ଅନ୍ତର୍ଜାତୀୟ ଫୁଟବଲକୁ ରୋନାଲ୍ଡୋଙ୍କ ଅଲବିଦା!୨୩ ବର୍ଷର ଲମ୍ବା ଯାତ୍ରା। ଅଗଣିତ ରେକର୍ଡ, ଅନେକ ସଫଳତା ଆଉ କୋଟି କୋଟି ପ୍ରଶଂସକଙ୍କ ଭଲପାଇବା। ଏବେ ଏହି ଯାତ୍ରାରେ ପଡ଼ିବାକୁ ଯାଉଛି ଯବନିକା।ଗୁରୁବାର ସୋସିଆଲ୍ ମିଡିଆରେ ଭିଡିଓ ବାର୍ତ୍ତା ଜରିଆରେ ଅନ୍ତର୍ଜାତୀୟ ଫୁଟବଲ୍ରୁ ଅବସର ନେବା ନେଇ ଘୋଷଣା କରିଛନ୍ତି ରୋନାଲ୍ଡୋ। ନଭେମ୍ବରର ଅନ୍ତର୍ଜାତୀୟ ମ୍ୟାଚ୍ ପରେ ପର୍ତ୍ତୁଗାଲ୍ ଜାତୀୟ ଦଳକୁ ଅଲବିଦା କହିବେ ସେ।
ନିଜ ବିଦାୟୀ ବାର୍ତ୍ତାରେ ରୋନାଲ୍ଡୋ କହିଛନ୍ତି, ପର୍ତ୍ତୁଗାଲ୍ର ୭ ନମ୍ବର ଜର୍ସିକୁ ଫେରାଇବାର ସମୟ ଆସିଯାଇଛି। ଦୀର୍ଘ ୨୩ ବର୍ଷ ଧରି ଦେଶ ପାଇଁ ଖେଳିବା ତାଙ୍କ ଜୀବନର ସବୁଠାରୁ ବଡ଼ ଗର୍ବ ଓ ସୌଭାଗ୍ୟ। ଏବେ ନୂଆ ପିଢ଼ିକୁ ଦାୟିତ୍ୱ ହସ୍ତାନ୍ତର କରିବାର ସମୟ।୨୦୦୩ରେ ଅନ୍ତର୍ଜାତୀୟ ଫୁଟବଲ୍ରେ ପାଦ ଥାପିଥିଲେ ରୋନାଲ୍ଡୋ। ନିଜ କ୍ୟାରିୟରରେ ୨୩୪ଟି ମ୍ୟାଚ୍ ଖେଳି ୧୪୬ଟି ଗୋଲ୍ କରିଛନ୍ତି। ପୁରୁଷ ଅନ୍ତର୍ଜାତୀୟ ଫୁଟବଲ୍ରେ ସର୍ବାଧିକ ମ୍ୟାଚ୍ ଓ ସର୍ବାଧିକ ଗୋଲ୍ର ରେକର୍ଡ ମଧ୍ୟ ତାଙ୍କ ନାଁରେ ରହିଛି।
ତାଙ୍କ ନେତୃତ୍ୱରେ ୨୦୧୬ରେ ୟୁରୋ କପ୍ ଏବଂ ୨୦୧୯ ଓ ୨୦୨୫ରେ ନେସନ୍ସ ଲିଗ୍ ଟାଇଟଲ୍ ଜିତିଥିଲା ପର୍ତ୍ତୁଗାଲ୍।ହେଲେ ଅଧୁରା ରହିଗଲା ବିଶ୍ୱକପ୍ ଜିତିବାର ସ୍ୱପ୍ନ। ଦେଶ ପାଇଁ ବିଶ୍ୱକପ୍ ଟ୍ରଫି ହାତେଇବାର ଆଶା ନେଇ ମଇଦାନକୁ ଓହ୍ଲାଇଥିବା ରୋନାଲ୍ଡୋଙ୍କ ସ୍ୱପ୍ନ ଶେଷରେ ସ୍ୱପ୍ନ ହୋଇ ରହିଗଲା।ନିଜ ବିଦାୟୀ ବାର୍ତ୍ତାରେ ସେ ସାଥୀ ଖେଳାଳି, କୋଚ୍, ଡାକ୍ତରୀ ଦଳ, ସହଯୋଗୀ କର୍ମଚାରୀ ଏବଂ ପରିବାରକୁ ଧନ୍ୟବାଦ ଜଣାଇଛନ୍ତି।




