Breaking Newsଓଡ଼ିଶା

କୋଟିଆରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ବିଜ୍ଞପ୍ତିକୁ ଭକ୍ତ ଦାସଙ୍କ ତୀବ୍ର ନିନ୍ଦା

କୋଟିଆକୁ ନେଇ ପୁଣି ତେଜିଲା ଓଡ଼ିଶା-ଆନ୍ଧ୍ର ବିବାଦ। କୋଟିଆ ଅଞ୍ଚଳରେ ପଞ୍ଚାୟତ ନିର୍ବାଚନ ପାଇଁ ଆନ୍ଧ୍ରପ୍ରଦେଶ ସରକାରଙ୍କ ବିଜ୍ଞପ୍ତି ପ୍ରକାଶକୁ ନେଇ ତୀବ୍ର ଆପତ୍ତି ଉଠାଇଛି ଓଡ଼ିଶା କଂଗ୍ରେସ। ଏହି ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ନିରବତା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ଓପିସିସି ସଭାପତି ଭକ୍ତ ଚରଣ ଦାସ। କୋଟିଆର ସୁରକ୍ଷା ପାଇଁ ତୁରନ୍ତ ଆଇନଗତ ଏବଂ ପ୍ରଶାସନିକ ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି।

ଭକ୍ତ ଦାସଙ୍କ ଅଭିଯୋଗ ଅନୁଯାୟୀ, ଆନ୍ଧ୍ରପ୍ରଦେଶ ସରକାର ବାରମ୍ବାର କୋଟିଆ ଅଞ୍ଚଳରେ ହସ୍ତକ୍ଷେପ କରି ଓଡ଼ିଶାର ପ୍ରଶାସନିକ ବ୍ୟବସ୍ଥାକୁ ପ୍ରଭାବିତ କରୁଛନ୍ତି। ବିଭିନ୍ନ ଭତ୍ତା ଓ ସୁବିଧାସୁଯୋଗ ଯୋଗାଇବା ଆଳରେ ଆନ୍ଧ୍ର ନିଜର ପ୍ରଭାବ ବଢ଼ାଉଥିବା ବେଳେ ଏହା ପଛରେ ଥିବା ଉଦ୍ଦେଶ୍ୟକୁ ଓଡ଼ିଶା ସରକାର ବୁଝିବା ଉଚିତ | ଏଥିସହିତ, ଅସ୍ମିତାର କଥା କହି କ୍ଷମତାକୁ ଆସିଥିବା ବିଜେପି ସରକାର କୋଟିଆ ପ୍ରସଙ୍ଗରେ କାହିଁକି ନିରବ ରହିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଭକ୍ତ ଚରଣ ଦାସ।

ପ୍ରଥମତଃ, ଆନ୍ଧ୍ରପ୍ରଦେଶ ସରକାରଙ୍କ ପଞ୍ଚାୟତ ନିର୍ବାଚନ ସମ୍ପର୍କିତ ବିଜ୍ଞପ୍ତିକୁ ରଦ୍ଦ କରିବା ପାଇଁ ଓଡ଼ିଶା ସରକାର ତୁରନ୍ତ ଆବଶ୍ୟକ ପଦକ୍ଷେପ ନିଅନ୍ତୁ।ଦ୍ୱିତୀୟତଃ, ମୁଖ୍ୟମନ୍ତ୍ରୀ କିମ୍ବା ରାଜସ୍ୱ ମନ୍ତ୍ରୀ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ସହ ତୁରନ୍ତ ଆଲୋଚନା କରନ୍ତୁ।ତୃତୀୟତଃ, କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପରେ କୋଟିଆ ସୀମା ବିବାଦର ଏକ ସ୍ଥାୟୀ ସମାଧାନ କରାଯାଉ, ଯାହାଦ୍ୱାରା ଭବିଷ୍ୟତରେ ଏଭଳି ହସ୍ତକ୍ଷେପକୁ ରୋକାଯାଇପାରିବ।

କୋଟିଆ ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ ଏବଂ ଏହାର ସୁରକ୍ଷା ପାଇଁ କଂଗ୍ରେସ ସର୍ବଦା ଓଡ଼ିଶାବାସୀଙ୍କ ସହ ରହିବ ବୋଲି କହିଛନ୍ତି ଭକ୍ତ ଚରଣ ଦାସ। ଏବେ ଏହି ପ୍ରସଙ୍ଗରେ ରାଜ୍ୟ ସରକାର କି ପଦକ୍ଷେପ ନେଉଛନ୍ତି, ତାହା ଉପରେ ରହିଛି ସମସ୍ତଙ୍କ ନଜର।

Related Articles

Back to top button