ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’

ପୂର୍ବ-କେନ୍ଦ୍ରୀୟ ଏବଂ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଘନୀଭୂତ ହୋଇଛି ବାତ୍ୟା ‘ଅର୍ଣ୍ଣବ’। ଘଣ୍ଟା ପ୍ରତି ପ୍ରାୟ ୧୫ କିଲୋମିଟର ବେଗରେ ଉପକୂଳ ଆଡ଼କୁ ଅଗ୍ରସର ହେଉଛି ଏହି ସାମୁଦ୍ରିକ ଝଡ଼।ବିଜୟପୁରମ୍ଠାରୁ ପ୍ରାୟ ୫୯୦ କିଲୋମିଟର ଉତ୍ତର-ଉତ୍ତରପଶ୍ଚିମରେ ରହିଛି ବାତ୍ୟାର କେନ୍ଦ୍ର। ସେହିପରି ବିଶାଖାପାଟଣାଠାରୁ ୬୫୦ କିଲୋମିଟର, କାକିନାଡ଼ାଠାରୁ ୭୩୦ କିଲୋମିଟର, ମଛଲିପଟଣମ୍ଠାରୁ ୮୩୦ କିଲୋମିଟର ଏବଂ ବାପତଲାଠାରୁ ପ୍ରାୟ ୯୧୦ କିଲୋମିଟର ଦୂରରେ ଅବସ୍ଥିତ ରହିଛି ଏହି ବାତ୍ୟା।
ପାଣିପାଗ ଆକଳନ ଅନୁସାରେ, ଆସନ୍ତା ୨୮ ତାରିଖ ସକାଳ ସୁଦ୍ଧା ଆନ୍ଧ୍ରପ୍ରଦେଶର ବାପତଲା ଓ ବିଶାଖାପାଟଣା ମଧ୍ୟବର୍ତ୍ତୀ ଅଞ୍ଚଳରେ ଲ୍ୟାଣ୍ଡଫଲ୍ କରିପାରେ ‘ଅର୍ଣ୍ଣବ’। ସେହି ସମୟରେ ପବନର ବେଗ ଘଣ୍ଟା ପ୍ରତି ପ୍ରାୟ ୧୪୦ କିଲୋମିଟର ରହିବାର ଆଶଙ୍କା ରହିଛି।ଯଦିଓ ବାତ୍ୟାର ସିଧାସଳଖ ପ୍ରଭାବରୁ ଓଡ଼ିଶା ବର୍ତ୍ତିବା ସମ୍ଭାବନା ରହିଛି, ତଥାପି ଏହାର ପ୍ରଭାବ ରାଜ୍ୟରେ ଅନୁଭୂତ ହୋଇପାରେ। ବିଶେଷ କରି ଆନ୍ଧ୍ର ସୀମାକୁ ଲାଗିଥିବା ଦକ୍ଷିଣ ଓଡ଼ିଶାର ପାଞ୍ଚଟି ଜିଲ୍ଲାରେ ବର୍ଷା ଓ ପବନର ପ୍ରଭାବ ଅଧିକ ରହିପାରେ।
ଆସନ୍ତାକାଲିଠାରୁ ରାଜ୍ୟରେ ପାଗ ବଦଳିବା ସହ ବର୍ଷା ଓ ପବନ ଆରମ୍ଭ ହେବା ସମ୍ଭାବନା ରହିଛି। ତେଣୁ ବାତ୍ୟାର ଗତିପଥ, ତୀବ୍ରତା ଏବଂ ପାଣିପାଗ ବିଭାଗର ପରବର୍ତ୍ତୀ ସତର୍କ ସୂଚନା ଉପରେ ରହିଛି ସମସ୍ତଙ୍କ ନଜର।




