ସରକାରଙ୍କ ବଡ଼ ଉପହାର! ପୂଜା ମଣ୍ଡପର ଗ୍ରାଉଣ୍ଡ ଭଡ଼ା ଛାଡ଼

ପାର୍ବଣ ଆସିଲେ ଚଳଚଞ୍ଚଳ ହୋଇଉଠେ ରାଜଧାନୀ ଭୁବନେଶ୍ୱର। ଦୁର୍ଗାପୂଜାଠାରୁ ଆରମ୍ଭ କରି ଗଜଲକ୍ଷ୍ମୀ ପୂଜା ଓ କାଳୀପୂଜା ପର୍ଯ୍ୟନ୍ତ ବିଭିନ୍ନ ପୂଜା ମଣ୍ଡପରେ ଜମେ ଶ୍ରଦ୍ଧାଳୁଙ୍କ ଭିଡ଼। ଆଉ ଏହି ପୂଜା ଆୟୋଜନ ପାଇଁ ପୂଜା କମିଟିଗୁଡ଼ିକୁ ଅନେକ ଖର୍ଚ୍ଚ ବହନ କରିବାକୁ ପଡ଼ିଥାଏ। ପୂର୍ବରୁ ପୂଜା ମଣ୍ଡପ ପାଇଁ ଗ୍ରାଉଣ୍ଡ ଭଡ଼ା ବାବଦରେ ୧୦ ହଜାରରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡ଼ୁଥିଲା। ଏବେ ଏହି ଭଡ଼ା ସମ୍ପୂର୍ଣ୍ଣ ଛାଡ଼ ହେବା ଫଳରେ ପୂଜା କମିଟିଗୁଡ଼ିକୁ ଆର୍ଥିକ ଆଶ୍ୱସ୍ତି ମିଳିବ।
ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ଅକ୍ଟୋବର ୧୭ରୁ ନଭେମ୍ବର ୧୮ ମଧ୍ୟରେ ସାର୍ବଜନୀନ ପୂଜା ଉତ୍ସବ ଆୟୋଜନ କରୁଥିବା କମିଟିଗୁଡ଼ିକ ଏହି ସୁବିଧା ପାଇବେ। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ସାଂସ୍କୃତିକ ଓ ପାରମ୍ପରିକ ଉତ୍ସବ ପ୍ରତି ଅନୁକୂଳ ପଦକ୍ଷେପ ବୋଲି କହିଛନ୍ତି ବିଧାୟକ ବାବୁ ସିଂ। ତାଙ୍କ କହିବା ଅନୁସାରେ, ଏହାଦ୍ୱାରା ପୂଜା କମିଟିଗୁଡ଼ିକ ଉପରୁ ଆର୍ଥିକ ବୋଝ କମିବା ସହ ଅଧିକ ଉତ୍ସାହର ସହ ପାର୍ବଣ ଆୟୋଜନ କରିପାରିବେ।
କେବଳ ପୂଜା ଆୟୋଜନ ନୁହେଁ, ଉତ୍ସବରେ ଶୃଙ୍ଖଳା ଓ ସ୍ୱଚ୍ଛତା ବଜାୟ ରଖିବା ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସମସ୍ତ ପୂଜା କମିଟି ଉତ୍ସବକୁ ଶାନ୍ତିପୂର୍ଣ୍ଣ, ଶୃଙ୍ଖଳିତ, ସ୍ୱଚ୍ଛ ଏବଂ ପରିବେଶ ଅନୁକୂଳ ଭାବେ ପାଳନ କରିବାକୁ ଆହ୍ୱାନ ଦିଆଯାଇଛି। ସରକାରଙ୍କ ଏହି ପଦକ୍ଷେପ ରାଜଧାନୀର ପୂଜା କମିଟିଗୁଡ଼ିକୁ ଆଶ୍ୱସ୍ତି ଦେବା ସହ ପାର୍ବଣର ଆନନ୍ଦକୁ ଆହୁରି ବଢ଼ାଇବ ବୋଲି ଆଶା ପ୍ରକାଶ କରିଛନ୍ତି ବାବୁ ସିଂ।




