ରାଜନୀତି

ଅବ୍ୟବହୃତ ୯୦୦ କୋଟି ଟଙ୍କାକୁ ନେଇ ସରକାରଙ୍କୁ କଂଗ୍ରେସର ପ୍ରଶ୍ନ

ମୋବାଇଲ ନ୍ୟୁଜ 24×7 ବ୍ୟୁରୋ : ଏଆଇସିସି ସଚିବ ତଥା ପଶ୍ଚିମବଙ୍ଗ କଂଗ୍ରେସ ସହ-ପ୍ରଭାରୀ ଭାବେ ନିଯୁକ୍ତ ଡ. ଦେବାଶିଷ ପଟ୍ଟନାୟକଙ୍କୁ କଂଗ୍ରେସ ଭବନରେ ସ୍ୱାଗତ କରାଯାଇଛି। ମିଡିଆ ଚେୟାରମ୍ୟାନ୍ ଅରବିନ୍ଦ ଦାସ, ବରିଷ୍ଠ ମୁଖପାତ୍ର ମନୋରଞ୍ଜନ ଦାସ ଓ ଡ. ମନିଷା ଦାସ ପଟ୍ଟନାୟକ ତାଙ୍କୁ ସ୍ୱାଗତ ଜଣାଇଥିଲେ। ଏହି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସରକାରଙ୍କ କର୍ପୋରେଟ୍ ନୀତିକୁ ନେଇ ବର୍ଷିଥିଲେ ଡ. ଦେବାଶିଷ ପଟ୍ଟନାୟକ। ଫିକିର ଶତବାର୍ଷିକୀ ଉତ୍ସବରେ ପ୍ରଧାନମନ୍ତ୍ରୀ କର୍ପୋରେଟ୍ ସଂସ୍ଥାଙ୍କ ଲାଭଖୋର ମନୋଭାବକୁ ସମାଲୋଚନା କରିଥିବା ବେଳେ, ଏହି ପରିସ୍ଥିତି ପାଇଁ ସରକାରଙ୍କ ନୀତି ଓ ରାଜନୈତିକ ସମ୍ପର୍କ କେତେ ଦାୟୀ ବୋଲି ସେ ପ୍ରଶ୍ନ କରିଥିଲେ। ଦରଦାମ ବୃଦ୍ଧି, ବେକାରୀ ଓ ସାଧାରଣ ଲୋକଙ୍କ ଆର୍ଥିକ ସମସ୍ୟାକୁ ନେଇ ମଧ୍ୟ କେନ୍ଦ୍ରକୁ ଟାର୍ଗେଟ୍ କରିଥିଲେ।

ସେହିପରି ଡ. ମନିଷା ଦାସ ପଟ୍ଟନାୟକ ଓଡ଼ିଶା ସରକାରଙ୍କ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠିର ଅର୍ଥ ବିନିଯୋଗକୁ ନେଇ ପ୍ରଶ୍ନ ଉଠାଇଥିଲେ। ତାଙ୍କ ଅଭିଯୋଗ ଅନୁଯାୟୀ, ୨୦୨୪-୨୫ ଓ ୨୦୨୫-୨୬ ଦୁଇ ଆର୍ଥିକ ବର୍ଷରେ ମୋଟ ୧,୧୭୨ କୋଟିରୁ ଅଧିକ ଟଙ୍କା ଆବଣ୍ଟନ ହୋଇଥିବା ବେଳେ ମାତ୍ର ୨୭୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ପ୍ରାୟ ୮୯୭ କୋଟି ଟଙ୍କା ଅବ୍ୟବହୃତ ରହିଛି। ଏପରିକି ୨୦୨୫-୨୬ ଆର୍ଥିକ ବର୍ଷରେ ୪୭ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ବିଧାୟକ ପାଣ୍ଠିରୁ ଟଙ୍କାଟିଏ ମଧ୍ୟ ଖର୍ଚ୍ଚ ହୋଇନଥିବା ନେଇ ସେ ଉଦ୍‌ବେଗ ପ୍ରକାଶ କରିଥିଲେ।

ପ୍ରଶାସନିକ ବିଳମ୍ବ ଓ ସରକାରୀ ସମନ୍ୱୟର ଅଭାବ ଯୋଗୁଁ ବିକାଶମୂଳକ କାର୍ଯ୍ୟ ଅଟକି ରହିଥିବା ଅଭିଯୋଗ କରି ସରକାରଙ୍କୁ ଅବ୍ୟବହୃତ ପାଣ୍ଠିର ହିସାବ ସାର୍ବଜନୀନ କରିବା ସହ ଦାୟିତ୍ୱ ନିର୍ଦ୍ଧାରଣ ଓ ପ୍ରକଳ୍ପଗୁଡ଼ିକୁ ସମୟସୀମା ମଧ୍ୟରେ ଶେଷ କରିବାକୁ ଦାବି କରିଛି କଂଗ୍ରେସ।ଜନସାଧାରଣଙ୍କ ବିକାଶ ପାଇଁ ଆବଣ୍ଟିତ ଅର୍ଥ ଖର୍ଚ୍ଚ ନହୋଇ ପଡ଼ିରହିବା ସରକାରଙ୍କ ବିକାଶ ଦାବି ଉପରେ ପ୍ରଶ୍ନଚିହ୍ନ ଲଗାଉଛି ବୋଲି କଂଗ୍ରେସ ନେତାମାନେ କହିଛନ୍ତି।

Related Articles

Back to top button