ଦୁଇଟି ବିମାନ ମୁହାଁମୁହିଁ, ୪ ପାଇଲଟ୍ଙ୍କ ମୃତ୍ୟୁ

ଫିଲିପାଇନ୍ସ ବାୟୁସେନାରେ ଶୋକର ଛାୟା। ଦୁଇଟି ପ୍ରଶିକ୍ଷଣ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ଚାଲିଯାଇଛି ୪ ଜଣ ପାଇଲଟ୍ଙ୍କ ଜୀବନ।ଶୁକ୍ରବାର ରାଜଧାନୀ ମାନିଲାର ଦକ୍ଷିଣରେ ଥିବା ବାଟାଙ୍ଗାସ୍ ପ୍ରଦେଶର ଫର୍ନାଣ୍ଡୋ ଏୟାର ବେସ୍ ନିକଟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଶନିବାର ଫିଲିପାଇନ୍ସ ବାୟୁସେନା ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।ବାୟୁସେନାର ସୂଚନା ଅନୁସାରେ, ଦୁଇଟି SF-260 ପ୍ରଶିକ୍ଷଣ ବିମାନ ନିୟମିତ ଉଡ଼ାଣ ଅଭ୍ୟାସରେ ଥିବା ସମୟରେ ଏହି ଅଘଟଣ ଘଟିଥିଲା। ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଆକାଶରେ ଉଡ଼ାଣ କରୁଥିବା ବେଳେ ଦୁଇଟି ବିମାନ ପରସ୍ପର ସହ ଧକ୍କା ହୋଇଥିଲେ।
ତେବେ କେଉଁ କାରଣରୁ ଏହି ଦୁର୍ଘଟଣା ଘଟିଲା, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଚାଲିଛି।ଦୁର୍ଘଟଣା ପରେ ସତର୍କ ହୋଇଛି ଫିଲିପାଇନ୍ସ ବାୟୁସେନା। ତଦନ୍ତ ଶେଷ ନହେବା ପର୍ଯ୍ୟନ୍ତ ସମସ୍ତ SF-260 ପ୍ରଶିକ୍ଷଣ ବିମାନର ଉଡ଼ାଣକୁ ଅସ୍ଥାୟୀ ଭାବେ ସ୍ଥଗିତ ରଖାଯାଇଛି। ଏହି ପଦକ୍ଷେପ ଦ୍ୱାରା ଭବିଷ୍ୟତରେ ଏଭଳି ଦୁର୍ଘଟଣାକୁ ରୋକିବା ସହ ବିମାନର ସୁରକ୍ଷା ସମ୍ପର୍କରେ ଯାଞ୍ଚ କରାଯିବ।
ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ମେ ମାସରେ ଉତ୍ତର ଫିଲିପାଇନ୍ସର ଏକ ପାହାଡ଼ିଆ ଅଞ୍ଚଳରେ SF-260 ପ୍ରଶିକ୍ଷଣ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସେହି ଘଟଣାରେ ଦୁଇ ଜଣ ପାଇଲଟ୍ଙ୍କ ମୃତ୍ୟୁ ହୋଇଥିଲା।ସେହିପରି ୨୦୨୩ ମସିହାରେ ମଧ୍ୟ ଏହି ପ୍ରକାର ବିମାନର ପ୍ରଶିକ୍ଷଣ ଉଡ଼ାଣ ସମୟରେ ଦୁର୍ଘଟଣା ଘଟି ଦୁଇ ଜଣ ପାଇଲଟ୍ଙ୍କ ଜୀବନ ଯାଇଥିଲା।ବାରମ୍ବାର ପ୍ରଶିକ୍ଷଣ ବିମାନ ଦୁର୍ଘଟଣାକୁ ନେଇ ଏବେ ଚିନ୍ତା ବଢ଼ିଛି। ତଦନ୍ତ ପରେ ଦୁର୍ଘଟଣାର ପ୍ରକୃତ କାରଣ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି। ଏବେ ସମସ୍ତଙ୍କ ନଜର ତଦନ୍ତ ରିପୋର୍ଟ ଉପରେ।




