ଓଡ଼ିଶାମନୋରଞ୍ଜନ

ହ୍ୟୁମାନଙ୍କୁ ବର୍ଷେ…କେବେ ଖୋଲିବ ରହସ୍ୟ?

ହ୍ୟୁମାନ ସାଗରଙ୍କ ମୃତ୍ୟୁ ପରେ ସବୁଠୁ ବଡ଼ ପ୍ରଶ୍ନ ଉଠାଇଥିଲେ ତାଙ୍କ ମାଆ ଶେଫାଳି ସୁନା। ପୁଅର ମୃତ୍ୟୁ ପଛରେ ଷଡ଼ଯନ୍ତ୍ର ଥିବା ନେଇ ସେ ଗୁରୁତର ଅଭିଯୋଗ ଆଣିଥିଲେ। କଟକ ମର୍କତନଗର ଥାନାରେ ଦେଇଥିଲେ ଏତଲା। ଏହି ଏତଲାରେ ୬ ଜଣଙ୍କ ନାଁ ଉଲ୍ଲେଖ କରିଥିଲେ। ଅଭିଯୋଗ ତାଲିକାରେ ଥିଲେ କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀ, ଦୁଇ ମ୍ୟାନେଜର ଦିନେଶ ବେହେରା ଓ ପ୍ରଶାନ୍ତ ବେହେରା, ସଙ୍ଗୀତ ନିର୍ଦ୍ଦେଶକ ସୋମେଶ ଶତପଥୀ ଏବଂ ହ୍ୟୁମାନଙ୍କ ପତ୍ନୀ ଶ୍ରେୟା ମିଶ୍ରଙ୍କ ସମେତ ଅନ୍ୟ ବ୍ୟକ୍ତିଙ୍କ ନାଁ ରହିଥିଲା।

ତେବେ ଏହି ଏତଲାରେ ଉଠିଥିବା ଅଭିଯୋଗଗୁଡ଼ିକ ଏବେ ବି ତଦନ୍ତର ବିଷୟ। କାହାକୁ ଦୋଷୀ ସାବ୍ୟସ୍ତ କରାଯାଇନାହିଁ। ସତ କ’ଣ, ତାହା ତଦନ୍ତର ନିଷ୍କର୍ଷରୁ ହିଁ ସ୍ପଷ୍ଟ ହେବ। କେବଳ ଷଡ଼ଯନ୍ତ୍ର ନୁହେଁ, ହ୍ୟୁମାନଙ୍କ ମୃତ୍ୟୁ ପଛରେ ବିଷକ୍ରିୟା, ଶାରୀରିକ ଓ ମାନସିକ ନିର୍ଯାତନା, ଧମକ ଏବଂ ଚିକିତ୍ସାରେ ଅବହେଳା ଭଳି ଅନେକ ସନ୍ଦେହ ଉଠାଇଥିଲେ ତାଙ୍କ ମାଆ। ଏପରିକି ହ୍ୟୁମାନଙ୍କ ଆର୍ଥିକ କାରବାରରେ ଅନିୟମିତତା ହୋଇଥିଲା କି ନାହିଁ, ତାଙ୍କ ମୃତ୍ୟୁ ସମ୍ପର୍କିତ ପ୍ରମାଣ ନଷ୍ଟ କିମ୍ବା ଡିଜିଟାଲ୍ ରେକର୍ଡରେ ହେରଫେର ହୋଇଥିଲା କି ନାହିଁ, ସେନେଇ ମଧ୍ୟ ତଦନ୍ତ ଦାବି କରିଥିଲେ ଶେଫାଳି ସୁନା।

ଅଭିଯୋଗ ପରେ ତଦନ୍ତ ପ୍ରକ୍ରିୟା ଆଗକୁ ବଢ଼ିଥିଲା। ଜେରା, ନୋଟିସ୍, ମେଡିକାଲ୍ ରିପୋର୍ଟ ଏବଂ ଆର୍ଥିକ କାରବାର ଯାଞ୍ଚ ଭଳି ପ୍ରସଙ୍ଗ ସାମ୍ନାକୁ ଆସିଥିଲା। ହେଲେ ଏସବୁ ତଦନ୍ତରୁ କ’ଣ ନିଷ୍କର୍ଷ ବାହାରିଲା, ତାହା ଜାଣିବାକୁ ଅପେକ୍ଷାରେ ରହିଛନ୍ତି ପ୍ରଶଂସକ। ଆଜି ହ୍ୟୁମାନଙ୍କ ମୃତ୍ୟୁକୁ ବର୍ଷେ ପୂରିଛି। କିନ୍ତୁ ତାଙ୍କ ମୃତ୍ୟୁକୁ ନେଇ ଉଠିଥିବା ଅନେକ ପ୍ରଶ୍ନର ଉତ୍ତର ଜାଣିବାକୁ ଅପେକ୍ଷା କରିଛନ୍ତି ପରିବାର ଓ ପ୍ରଶଂସକ।

*ମୃତ୍ୟୁ ପଛରେ କୌଣସି ଷଡ଼ଯନ୍ତ୍ର ଥିଲା କି?

*ହ୍ୟୁମାନଙ୍କ ମୋବାଇଲ୍ ଓ ଡିଜିଟାଲ୍ ତଥ୍ୟ ଯାଞ୍ଚରୁ କ’ଣ ମିଳିଲା?

*ଆର୍ଥିକ କାରବାରକୁ ନେଇ ହୋଇଥିବା ଅଭିଯୋଗର ତଦନ୍ତ କେତେ ଆଗେଇଛି?

*ଏତଲାରେ ନାଁ ଥିବା ସମସ୍ତଙ୍କୁ ପଚରାଉଚରା କରାଯାଇଛି କି?

*ମେଡିକାଲ୍ ରିପୋର୍ଟ ଓ ଅନ୍ୟ ପ୍ରମାଣରୁ କ’ଣ ସ୍ପଷ୍ଟ ହୋଇଛି?

*ବର୍ଷେ ପରେ ବି ତଦନ୍ତର ଚୂଡ଼ାନ୍ତ ନିଷ୍କର୍ଷ କାହିଁକି ସାମ୍ନାକୁ ଆସିନାହିଁ?

ଏସବୁ ପ୍ରଶ୍ନ ଆଜି ବି ଉତ୍ତର ଅପେକ୍ଷାରେ। ହ୍ୟୁମାନ ସାଗର ଆଜି ଆମ ଗହଣରେ ନାହାନ୍ତି। ହେଲେ ତାଙ୍କ ଗୀତ ଆଜି ବି ପ୍ରତିଟି ଓଡ଼ିଆଙ୍କ ମନରେ ଜୀବିତ। ଜଣେ କଳାକାରଙ୍କ ମୃତ୍ୟୁକୁ ନେଇ ଉଠିଥିବା ଗୁରୁତର ପ୍ରଶ୍ନର ଉତ୍ତର ମିଳିବା ଯେତିକି ଜରୁରୀ, ସେତିକି ଜରୁରୀ ହେଉଛି ନିରପେକ୍ଷ ଓ ସ୍ୱଚ୍ଛ ତଦନ୍ତ।

Related Articles

Back to top button