ଶୀତଦିନ ନ ହେଉଣୁ ଦିଲ୍ଲୀରେ ପ୍ରଦ୍ୟୁଷଣ । ଲାଗୁହେଲା କଟକଣା

ଶୀତ ଋତୁ ଆରମ୍ଭ ହେବା ପୂର୍ବରୁ ଦିଲ୍ଲୀ-NCRରେ ପୁଣି ଚିନ୍ତା ବଢ଼ାଇଲା ବାୟୁ ପ୍ରଦୂଷଣ। ଧୀରେ ଧୀରେ ଖରାପ ହେଉଛି ବାୟୁର ଗୁଣବତ୍ତା। ସ୍ଥିତିକୁ ଦେଖି ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଅଞ୍ଚଳରେ ଲାଗୁ କରାଯାଇଛି GRAP-1।ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ ଅର୍ଥାତ୍ CAQM ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଅକ୍ଟୋବର ୨୦ ତାରିଖରେ ଦିଲ୍ଲୀର AQI ୧୭୯ ଥିବାବେଳେ, ଅକ୍ଟୋବର ୨୧ ତାରିଖ ଦିନ ୨ଟା ସୁଦ୍ଧା ଏହା ବୃଦ୍ଧି ପାଇ ୨୪୪ରେ ପହଞ୍ଚିଥିଲା। ଆଗକୁ ମଧ୍ୟ ବାୟୁର ଗୁଣବତ୍ତା ଖରାପ ରହିବା ଆଶଙ୍କା ଥିବାରୁ ଏହି ପଦକ୍ଷେପ ନିଆଯାଇଛି।
GRAP ହେଉଛି ଗ୍ରେଡେଡ୍ ରେସପନ୍ସ ଆକ୍ସନ୍ ପ୍ଲାନ୍। ଅର୍ଥାତ୍, ବାୟୁ ପ୍ରଦୂଷଣର ମାତ୍ରା ଅନୁସାରେ ପର୍ଯ୍ୟାୟକ୍ରମେ କଟକଣା ଲାଗୁ କରିବାର ଏକ ଯୋଜନା। ପ୍ରଦୂଷଣ ବଢ଼ିଲେ ପରବର୍ତ୍ତୀ ପର୍ଯ୍ୟାୟରେ ଆହୁରି କଡ଼ା ପଦକ୍ଷେପ ନିଆଯାଏ।GRAP-1 ଅଧୀନରେ ରେସ୍ତୋରାଁର ତନ୍ଦୁରରେ କୋଇଲା ଓ କାଠ ବ୍ୟବହାର ଉପରେ କଟକଣା ଲଗାଯାଇଛି। ଡିଜେଲ୍ ଜେନେରେଟର ବ୍ୟବହାରକୁ ମଧ୍ୟ ନିୟନ୍ତ୍ରଣ କରାଯିବ। ଏହାସହ ନିର୍ମାଣ କାର୍ଯ୍ୟରୁ ସୃଷ୍ଟି ହେଉଥିବା ଧୂଳି ରୋକିବା ଏବଂ ପ୍ରଦୂଷଣର ଅନ୍ୟାନ୍ୟ ଉତ୍ସ ଉପରେ ନଜର ରଖିବାକୁ ଗୁରୁତ୍ୱ ଦିଆଯାଉଛି।
AQI ଅର୍ଥାତ୍ ଏୟାର କ୍ୱାଲିଟି ଇଣ୍ଡେକ୍ସ। ଏହା ଦ୍ୱାରା ବାୟୁ କେତେ ପରିଷ୍କାର କିମ୍ବା ପ୍ରଦୂଷିତ ରହିଛି, ତାହା ଜଣାପଡ଼େ। AQI ଯେତେ ବଢ଼େ, ବାୟୁ ପ୍ରଦୂଷଣ ଯୋଗୁଁ ସ୍ୱାସ୍ଥ୍ୟ ପ୍ରତି ବିପଦ ସେତେ ଅଧିକ ବଢ଼ିପାରେ।ବାୟୁରେ ଥିବା PM2.5, PM10, ଓଜୋନ୍, କାର୍ବନ୍ ମନୋକ୍ସାଇଡ୍ ଏବଂ ଅନ୍ୟାନ୍ୟ ପ୍ରଦୂଷକର ମାତ୍ରା ଆଧାରରେ ବାୟୁର ଗୁଣବତ୍ତା ଆକଳନ କରାଯାଏ।‘ଦ ଲାନସେଟ୍’ର ୨୦୨୪ ମସିହାର ଏକ ଅଧ୍ୟୟନରେ ଦିଲ୍ଲୀର ବାୟୁ ପ୍ରଦୂଷଣକୁ ନେଇ ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଥିଲା। ଅଧ୍ୟୟନ ଅନୁସାରେ, ପ୍ରଦୂଷିତ ବାୟୁ ସହ ଜଡ଼ିତ କାରଣରୁ ଦିଲ୍ଲୀରେ ପ୍ରତିବର୍ଷ ପ୍ରାୟ ୧୨ ହଜାର ମୃତ୍ୟୁ ହେଉଥିବା ଆକଳନ କରାଯାଇଥିଲା।
ଏବେ ପୁଣି ଦିଲ୍ଲୀ-NCRରେ ପ୍ରଦୂଷଣ ବଢ଼ୁଥିବାରୁ ଆଗାମୀ ଦିନରେ ସ୍ଥିତି କେତେ ଗମ୍ଭୀର ହେବ, ତାହା ଉପରେ ସମସ୍ତଙ୍କ ନଜର ରହିଛି। ଯଦି ବାୟୁର ଗୁଣବତ୍ତା ଆହୁରି ଖରାପ ହୁଏ, ତେବେ GRAPର ପରବର୍ତ୍ତୀ ପର୍ଯ୍ୟାୟ ଲାଗୁ ହେବାର ସମ୍ଭାବନା ରହିଛି।




