Breaking Newsଜାତୀୟମନୋରଞ୍ଜନ

ଟାଇଗର ଶ୍ରଫ୍‌ଙ୍କ ମାମଲାରେ ବଡ଼ ଷଡ଼ଯନ୍ତ୍ର! ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌କୁ ନେଇ ବଢ଼ିଲା ସନ୍ଦେହ

ବଲିଉଡ୍ ଅଭିନେତା ଟାଇଗର ଶ୍ରଫ୍‌ଙ୍କ ସହ ଜଡ଼ିତ ଗୁଳିମାଡ଼ ମାମଲାରେ ତଦନ୍ତକୁ ଜୋରଦାର କରିଛି ମୁମ୍ବାଇ ପୋଲିସ। ଏହି ଘଟଣା ପଛରେ ଏକ ବଡ଼ ଷଡ଼ଯନ୍ତ୍ର ରହିଥିବା ପୋଲିସ ସନ୍ଦେହ କରୁଛି।ମୁମ୍ବାଇର କିଲ୍ଲା କୋର୍ଟରେ ଶୁଣାଣି ସମୟରେ ପୋଲିସ କହିଛି ଯେ, ଅଭିଯୁକ୍ତମାନେ ନିଜ ମୋବାଇଲ୍ ଫୋନ୍ ନଷ୍ଟ କରିଦେଇଛନ୍ତି। ତେଣୁ ଘଟଣାର ପ୍ରକୃତ ରହସ୍ୟ ଜାଣିବା ପାଇଁ ଅଧିକ ପଚରାଉଚରା ଆବଶ୍ୟକ।

ପୋଲିସ ୧୪ ଦିନର ରିମାଣ୍ଡ ମାଗିଥିବା ବେଳେ, କୋର୍ଟ ତିନି ଅଭିଯୁକ୍ତଙ୍କୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ୧୦ ଦିନିଆ ପୋଲିସ ରିମାଣ୍ଡରେ ପଠାଇଛନ୍ତି।ଏହି ମାମଲାରେ କୁଖ୍ୟାତ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌ର ସମ୍ପୃକ୍ତି ଥିବା ପୋଲିସ ସନ୍ଦେହ କରୁଛି। ଏହାସହ ଗ୍ୟାଙ୍ଗ୍‌ର ସଦସ୍ୟ ଅନିଲ ପଣ୍ଡିତଙ୍କ ନାମ ମଧ୍ୟ ତଦନ୍ତ ପରିସରକୁ ଆସିଛି।ଅଭିଯୁକ୍ତମାନେ କେଉଁଠାରୁ ବନ୍ଧୁକ ଓ ଅନ୍ୟ ଅସ୍ତ୍ରଶସ୍ତ୍ର ଆଣିଥିଲେ? ଏହି ଘଟଣାରେ ଆଉ କେହି ସାମିଲ ଅଛନ୍ତି କି? ଏବଂ ଅନ୍ୟ କୌଣସି ଅସ୍ତ୍ରଶସ୍ତ୍ର ଲୁଚାଇ ରଖାଯାଇଛି କି? ଏସବୁ ଦିଗକୁ ନେଇ ତଦନ୍ତ ଜାରି ରହିଛି।

ସିସିଟିଭି ଫୁଟେଜ୍ ଯାଞ୍ଚ ଏବଂ ବାଇକ୍‌କୁ ଟ୍ରାକ୍ କରି ପୋଲିସ ଅଭିଯୁକ୍ତମାନଙ୍କ ପାଖରେ ପହଞ୍ଚିଥିବା ସରକାରୀ ଓକିଲ କୋର୍ଟରେ କହିଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ ଆର୍ମସ୍ ଆକ୍ଟ ସହ ହତ୍ୟା ଉଦ୍ୟମ ଭଳି ଗୁରୁତର ଅଭିଯୋଗ ରହିଛି।କେବଳ ମୁମ୍ବାଇ ନୁହେଁ, ଦିଲ୍ଲୀ, ଗୁଜରାଟ ଏବଂ ହରିୟାଣାରେ ମଧ୍ୟ ଏହି ମାମଲାର ତଦନ୍ତର ସମ୍ପର୍କ ରହିଥିବା ଖବର ମିଳିଛି। ଏକ ଅଡିଓ କ୍ଲିପ୍‌କୁ ନେଇ ମଧ୍ୟ ତଦନ୍ତ ଚାଲିଛି।

ଅନ୍ୟପଟେ, ଅଭିଯୁକ୍ତଙ୍କ ଓକିଲ ସେମାନଙ୍କୁ ନିର୍ଦ୍ଦୋଷ ବୋଲି ଦାବି କରିଛନ୍ତି। କେବଳ ସନ୍ଦେହ ଆଧାରରେ ଗିରଫ କରାଯାଇଥିବା ଦର୍ଶାଇ ସେ ଅଧିକ ପୋଲିସ ରିମାଣ୍ଡକୁ ବିରୋଧ କରିଛନ୍ତି। ତେବେ ଏହି ମାମଲାରେ ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ଦୋଷ ପ୍ରମାଣିତ ହୋଇନାହିଁ। ପୋଲିସ ତଦନ୍ତ ଜାରି ରହିଥିବା ବେଳେ, ଏହି ଗୁଳିମାଡ଼ ପଛରେ ପ୍ରକୃତରେ କାହାର ହାତ ରହିଛି ଏବଂ ଏହା ପଛରେ କୌଣସି ବଡ଼ ଷଡ଼ଯନ୍ତ୍ର ଅଛି କି ନାହିଁ, ତାହା ଆଗାମୀ ତଦନ୍ତରୁ ସ୍ପଷ୍ଟ ହେବ।

 

 

 

 

 

Related Articles

Back to top button