ଭଞ୍ଜନଗରରେ ଅଭାବନୀୟ ଘଟଣା: ନଦୀରେ ଓଲଟିଲା ବୋଟ, ଗାଁରେ କନ୍ୟା ସନ୍ତାନ ଜନ୍ମ ଦେଲେ ଗର୍ଭବତୀ


ଭୁବନେଶ୍ବର: ଲଗାଣ ବର୍ଷା ଯୋଗୁଁ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଇବାଲି ପଞ୍ଚାୟତର ଉପାନ୍ତ ତଡ଼ମା ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି। ଗାଁ କଡ଼ରେ ପ୍ରବାହିତ ପାହାଡ଼ିଆ ନଦୀର ଜଳସ୍ତର ବୃଦ୍ଧି ପାଇଥିବା ବେଳେ ଗାଁର ଆରତୀ ଗୌଡ଼ ନାମ୍ନୀ ଜଣେ ଗର୍ଭବତୀ ମହିଳାଙ୍କର ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ଖବର ପାଇ ସ୍ଥାନୀୟ ପ୍ରଶାସନ ସହ ଭଞ୍ଜନଗର ଓ ବେଲଗୁଣ୍ଠା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ତେବେ ନଦୀର ପ୍ରଖର ସ୍ରୋତ ଯୋଗୁଁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଦମକଳ ବୋଟଟି ମଝି ନଦୀରେ ଓଲଟି ପଡ଼ିଥିଲା। ସୌଭାଗ୍ୟବଶତଃ, ବୋଟ୍ରେ ଥିବା ଦମକଳ କର୍ମଚାରୀମାନେ ସୁରକ୍ଷିତ ଭାବେ ବର୍ତ୍ତି ଯାଇଥିଲେ ହେଁ ପ୍ରଶାସନିକ ଟିମ୍ ଗାଁରେ ପହଞ୍ଚିବା ସମ୍ଭବ ହୋଇନଥିଲା। ଅନ୍ୟପଟେ, ଡାକ୍ତରୀ ସହାୟତା ନପାଇ ଗାଁରେ ହିଁ ଆରତୀ ଅତ୍ୟନ୍ତ କଷ୍ଟସାଧ୍ୟ ପରିସ୍ଥିତିରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ବୋଟ୍ ଦୁର୍ଘଟଣା ଓ ବିଚ୍ଛିନ୍ନ ଯୋଗାଯୋଗ ଯୋଗୁଁ ବର୍ତ୍ତମାନ ନବଜାତ ଶିଶୁ ଓ ମା’ ନଦୀ ଆରପାରି ଗ୍ରାମରେ ଅସହାୟ ଅବସ୍ଥାରେ ରହିଛନ୍ତି।



