ଓଡ଼ିଶାପାଣିପାଗ

‘ବାତ୍ୟା’ ପାଇଁ ଆମେ ପ୍ରସ୍ତୁତ

ପ୍ରବଳ ବର୍ଷାକୁ ନଜରରେ ରଖି ରାଜ୍ୟ ସରକାର ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ପ୍ରଭାବିତ ଅଞ୍ଚଳରେ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଥିବାବେଳେ ବିଭିନ୍ନ ଜିଲ୍ଲାର ତଦାରଖ ପାଇଁ ମନ୍ତ୍ରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି । କୋରାପୁଟ, ଗଜପତି, ନବରଙ୍ଗପୁର, ରାୟଗଡ଼ା ଓ କଳାହାଣ୍ଡି ଭଳି ଜିଲ୍ଲାରେ ଅଧିକ ବର୍ଷା ହୋଇପାରେ । ଏହାକୁ ମୁକାବିଲା ପାଇଁ ଆଗୁଆ ଯୋଜନା ପ୍ରସ୍ତୁତି କରାଯାଇଛି । ପଞ୍ଚାୟତିରାଜ ଓ ଗ୍ରାମ ଉନ୍ନୟନ ମନ୍ତ୍ରୀ ରବି ନାୟକଙ୍କୁ କୋରାପୁଟ ଜିଲ୍ଲାର ଦାୟିତ୍ୱ ଦିଆଯାଇଛି । ସେ କୋରାପୁଟ ଓ ଆଖପାଖ ଅଞ୍ଚଳରେ ପରିସ୍ଥିତିର ତଦାରଖ କରିବେ ।

ସେହିପରି ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କୁ ଗଜପତି ଓ ଆଖପାଖ ଅଞ୍ଚଳର ଦାୟିତ୍ୱ ଦିଆଯାଇଛି । ରାୟଗଡ଼ା, ମାଲକାନଗିରି, ଗଜପତି, ଗଞ୍ଜାମ ଓ କୋରାପୁଟ ଭଳି ସମ୍ବେଦନଶୀଳ ଜିଲ୍ଲାର ବିଜେପି ବିଧାୟକମାନଙ୍କୁ ମଧ୍ୟ ନିଜ ନିଜ ନିର୍ବାଚନମଣ୍ଡଳୀର ସ୍ଥିତି ଉପରେ ନଜର ରଖିବା ସହ ଆବଶ୍ୟକ ସମୟରେ ଲୋକଙ୍କ ପାଖରେ ରହିବାକୁ କୁହାଯାଇଛି ।

ଅନ୍ୟପକ୍ଷରେ, ପ୍ରଭାବିତ ଜିଲ୍ଲାଗୁଡ଼ିକରେ ଓଡ୍ରାଫ୍ ଟିମ୍ ଓ ଉଦ୍ଧାରକାରୀ ଦଳ ମୁତୟନ କରାଯାଇଛି । ସମ୍ଭାବ୍ୟ ବନ୍ୟା, ଜଳବନ୍ଦୀ ଓ ଭୂସ୍ଖଳନ ଭଳି ପରିସ୍ଥିତି ପାଇଁ ପ୍ରଶାସନକୁ ପ୍ରସ୍ତୁତ ରଖାଯାଇଛି । ମନ୍ତ୍ରୀ ସୁରେଶ ପୂଜାରୀ ଲୋକଙ୍କୁ ଆତଙ୍କିତ ନହୋଇ ସତର୍କ ରହିବାକୁ ଅପିଲ କରିଛନ୍ତି । ବିପର୍ଯ୍ୟୟ ପରିଚାଳନା ବିଭାଗର କଣ୍ଟ୍ରୋଲ ରୁମ୍ ୨୪ ଘଣ୍ଟା ସକ୍ରିୟ ରହିବା ସହ ପରିସ୍ଥିତି ଉପରେ ସରକାର ନଜର ରଖିଥିବା ସେ କହିଛନ୍ତି ।

Related Articles

Back to top button