ଚେକ୍ ବାଉନ୍ସ ମାମଲା: ବଲିଉଡ ଅଭିନେତା ରାଜପାଲ ଯାଦବଙ୍କୁ ୩ ମାସ ଜେଲ ଦଣ୍ଡ


ନୂଆଦିଲ୍ଲୀ: ଚେକ୍ ବାଉନ୍ସ ମାମଲାରେ ବଲିଉଡର ଲୋକପ୍ରିୟ ହାସ୍ୟ ଅଭିନେତା ରାଜପାଲ ଯାଦବଙ୍କୁ ଦିଲ୍ଲୀ ହାଇକୋର୍ଟରୁ ବଡ଼ ଝଟକା ଲାଗିଛି। ଶୁକ୍ରବାର ମାମଲାର ଶୁଣାଣି କରି କୋର୍ଟ ନିମ୍ନ ଅଦାଲତଙ୍କ ରାୟକୁ ବଜାୟ ରଖିବା ସହ ତାଙ୍କୁ ୩ ମାସର କାରାଦଣ୍ଡ ଶୁଣାଇଛନ୍ତି। ଏହାସହ ଅଭିନେତାଙ୍କ ଉପରେ ଜରିମାନା ମଧ୍ୟ ଲାଗୁ କରାଯାଇଛି। କୋର୍ଟ ରାଜପାଲଙ୍କ ପୂର୍ବ ଆଚରଣକୁ ‘ସନ୍ଦେହଜନକ’ ବୋଲି କହିବା ସହ ସଜାକୁ ରଦ୍ଦ କରିବା ପାଇଁ ସେ କରିଥିବା ଆବେଦନକୁ ଖାରଜ କରିଦେଇଛନ୍ତି। ଫଳରେ ତାଙ୍କର ଦୋଷସିଦ୍ଧି ଓ ୩ ମାସର ଜେଲ ଦଣ୍ଡାଦେଶ ପୂର୍ବବତ୍ ବଳବତ୍ତର ରହିଛି। ସୂଚନା ଅନୁସାରେ, ରାଜପାଲ ଯାଦବଙ୍କ ବିରୋଧରେ ଥିବା ଏହି ମାମଲା ୨୦୧୦ ମସିହାର। ସେ ନିଜର ପ୍ରଥମ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଅତା ପତା ଲାପତା’ର ନିର୍ମାଣ ପାଇଁ ଦିଲ୍ଲୀସ୍ଥିତ ମୁରଲୀ ପ୍ରୋଜେକ୍ଟ୍ସ ପ୍ରାଇଭେଟ୍ ଲିମିଟେଡ୍ଠାରୁ ୫ କୋଟି ଟଙ୍କା ଋଣ ନେଇଥିଲେ। କିନ୍ତୁ ଚଳଚ୍ଚିତ୍ରଟି ବକ୍ସ ଅଫିସରେ ସଫଳ ନ ହେବା ପରେ ଏହି ଆର୍ଥିକ ବିବାଦର ସୂତ୍ରପାତ ହୋଇଥିଲା। ଋଣ ପରିଶୋଧ ପାଇଁ ସେ ଦେଇଥିବା ଚେକ୍ ବାଉନ୍ସ ହେବା ଯୋଗୁଁ ମାମଲା ଅଦାଲତକୁ ଯାଇଥିଲା।




