ଭାରତ ଗସ୍ତରେ ପୋଲାଣ୍ଡ ପ୍ରଧାନମନ୍ତ୍ରୀ, ମଜଭୁତ ହେବ ଦ୍ୱିପାକ୍ଷିକ ସମ୍ପର୍କ

ଦୀର୍ଘ ୧୬ ବର୍ଷ ପରେ ଭାରତ ଗସ୍ତରେ ଆସୁଛନ୍ତି ପୋଲାଣ୍ଡର ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କ। ଅକ୍ଟୋବର ୨୧ରୁ ୨୩ ତାରିଖ ଯାଏଁ ତିନି ଦିନିଆ ଭାରତ ଗସ୍ତରେ ରହିବେ ଟସ୍କ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣରେ ହେଉଥିବା ଏହି ଗସ୍ତକୁ ନେଇ ଦୁଇ ଦେଶ ମଧ୍ୟରେ କୂଟନୈତିକ, ଅର୍ଥନୈତିକ ଓ ରଣନୈତିକ ସମ୍ପର୍କ ଆହୁରି ମଜଭୁତ ହେବା ନେଇ ବଢ଼ିଛି ଆଶା।
ବିଶେଷ କରି ବାଣିଜ୍ୟ, ପୁଞ୍ଜିନିବେଶ, ପ୍ରତିରକ୍ଷା ଏବଂ ନୂଆ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସହଯୋଗ ବଢ଼ାଇବା ଉପରେ ରହିବ ଫୋକସ୍। ସେପଟେ ଆତଙ୍କବାଦ ପ୍ରସଙ୍ଗରେ ଭାରତକୁ ପୋଲାଣ୍ଡର ଦୃଢ଼ ସମର୍ଥନ ଦୁଇ ଦେଶର ସମ୍ପର୍କକୁ ନୂଆ ଦିଗ ଦେଇପାରେ।ଅକ୍ଟୋବର ୨୨ ତାରିଖରେ ନୂଆଦିଲ୍ଲୀରେ ହେବ ଭାରତ ଓ ପୋଲାଣ୍ଡ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ଆଲୋଚନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ପୋଲାଣ୍ଡ ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କଙ୍କ ଏହି ବୈଠକରେ ୨୦୨୪ ଅଗଷ୍ଟରେ ମୋଦୀଙ୍କ ପୋଲାଣ୍ଡ ଗସ୍ତ ପରେ ଦୁଇ ଦେଶର ରଣନୈତିକ ସହଭାଗିତାରେ ହୋଇଥିବା ଅଗ୍ରଗତିର ସମୀକ୍ଷା କରାଯିବ।
ବାଣିଜ୍ୟ ଓ ପୁଞ୍ଜିନିବେଶଠାରୁ ଆରମ୍ଭ କରି ପ୍ରତିରକ୍ଷା, ଅକ୍ଷୟ ଶକ୍ତି, ଶିକ୍ଷା, ସଂସ୍କୃତି ଓ ନୂଆ ପ୍ରଯୁକ୍ତିବିଦ୍ୟା ଭଳି ଅନେକ କ୍ଷେତ୍ରରେ ସହଯୋଗ ବଢ଼ାଇବା ନେଇ ହେବ ଆଲୋଚନା। ଏଥିସହ ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ପ୍ରସଙ୍ଗ ମଧ୍ୟ ଆଲୋଚନାରେ ସ୍ଥାନ ପାଇବ।ଏହି ଗସ୍ତରେ କେବଳ କୂଟନୈତିକ ଆଲୋଚନା ନୁହେଁ, ଅର୍ଥନୈତିକ ସହଭାଗିତାକୁ ମଧ୍ୟ ଗୁରୁତ୍ୱ ଦିଆଯିବ। ପୋଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ସହ ସେହି ଦେଶର ଅର୍ଥ ଓ ଅର୍ଥନୀତି ମନ୍ତ୍ରୀ ଆନ୍ଦ୍ରେଜ ଡୋମାନସ୍କିଙ୍କ ସମେତ ଏକ ବଡ଼ ବ୍ୟବସାୟିକ ପ୍ରତିନିଧିମଣ୍ଡଳୀ ମଧ୍ୟ ଭାରତ ଆସିବେ।
ଅକ୍ଟୋବର ୨୨ରେ ନୂଆଦିଲ୍ଲୀ ଏବଂ ୨୩ ତାରିଖରେ ବେଙ୍ଗାଲୁରୁରେ ଆୟୋଜିତ ହେବ ଭାରତ-ପୋଲାଣ୍ଡ ବ୍ୟବସାୟ ଫୋରମ୍। ଏହାଦ୍ୱାରା ଉଭୟ ଦେଶର ଶିଳ୍ପ ସଂସ୍ଥା ଓ ବ୍ୟବସାୟୀଙ୍କ ମଧ୍ୟରେ ସମ୍ପର୍କ ବଢ଼ିବା ସହ ନୂଆ ନିବେଶ ଓ ବ୍ୟବସାୟିକ ସୁଯୋଗ ସୃଷ୍ଟି ହେବା ଆଶା କରାଯାଉଛି।
ଅନ୍ୟପଟେ, ପୋଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତରେ ଆତଙ୍କବାଦ ପ୍ରସଙ୍ଗ ମଧ୍ୟ ରହିପାରେ ଗୁରୁତ୍ୱପୂର୍ଣ୍ଣ। କାରଣ ଏହି ପ୍ରସଙ୍ଗରେ ଭାରତକୁ ଖୋଲାଖୋଲି ସମର୍ଥନ ଜଣାଇ ସାରିଛି ପୋଲାଣ୍ଡ।




