Breaking Newsଓଡ଼ିଶା

ଏଣିକି ଅଙ୍ଗନୱାଡ଼ି କର୍ମୀଙ୍କୁ ୧୨ ହଜାର, ସହାୟିକାଙ୍କୁ ୬ ହଜାର ଟଙ୍କା!

ରାଜ୍ୟର ହଜାର ହଜାର ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାଙ୍କ ପାଇଁ ଆସିଛି ବଡ଼ ଆଶ୍ୱସ୍ତିକର ଖବର। ଦୀର୍ଘଦିନର ଦାବି ପରେ ରାଜ୍ୟ ସରକାର ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାଙ୍କ ମାସିକ ଦରମା ବୃଦ୍ଧି ଘୋଷଣା କରିଛନ୍ତି। ବିଧାନସଭାର ଶୀତକାଳୀନ ଅଧିବେଶନରେ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ଘୋଷଣା କରିଛନ୍ତି। ଅଙ୍ଗନୱାଡ଼ି କର୍ମୀଙ୍କ ଦରମା ୧୦ ହଜାରରୁ ୧୨ ହଜାର ଟଙ୍କାକୁ ବୃଦ୍ଧି। ଅଙ୍ଗନୱାଡ଼ି ସହାୟିକାଙ୍କ ଦରମା ୫ ହଜାରରୁ ୬ ହଜାର ଟଙ୍କାକୁ ବୃଦ୍ଧି।

ଅବସରକାଳୀନ ସହାୟତା ୧ ଲକ୍ଷରୁ ୩ ଲକ୍ଷ ଟଙ୍କାକୁ ବୃଦ୍ଧି। କାର୍ଯ୍ୟରତ ଅବସ୍ଥାରେ ଅଙ୍ଗନୱାଡ଼ି କର୍ମୀଙ୍କ ମୃତ୍ୟୁ ହେଲେ ଅନୁକମ୍ପାମୂଳକ ସହାୟତା ୨ ଲକ୍ଷରୁ ୪ ଲକ୍ଷ ଟଙ୍କାକୁ ବୃଦ୍ଧି। କେବଳ ଦରମା ବୃଦ୍ଧି ନୁହେଁ, ଶିଶୁଙ୍କ ପୁଷ୍ଟି ଓ ଅଙ୍ଗନୱାଡ଼ି କେନ୍ଦ୍ରର ଭିତ୍ତିଭୂମି ବିକାଶ ପାଇଁ ମଧ୍ୟ ସରକାର ବଡ଼ ଯୋଜନା କରିଛନ୍ତି। ୬୩୫ କୋଟି ଟଙ୍କା ବ୍ୟୟରେ କାର୍ଯ୍ୟକାରୀ ହେବ ସମୃଦ୍ଧ ଅଙ୍ଗନୱାଡ଼ି ଯୋଜନା। ଏହି ଯୋଜନାରେ ୧୨ ହଜାର ୪୮୧ଟି କେନ୍ଦ୍ରରେ ପାନୀୟ ଜଳ ବ୍ୟବସ୍ଥା, ୫ ହଜାର ୭୮ଟି କେନ୍ଦ୍ରରେ ଶୌଚାଳୟ ନିର୍ମାଣ ଏବଂ ୭ ହଜାର ୫୦ଟି କେନ୍ଦ୍ରକୁ ପୂର୍ଣ୍ଣାଙ୍ଗ ଅଙ୍ଗନୱାଡ଼ି କେନ୍ଦ୍ରରେ ପରିଣତ କରାଯିବ। ଏହାସହ ୨ ହଜାର ୮୨୭ଟି କେନ୍ଦ୍ରରେ ରୋଷେଇ ଘର ଏବଂ ୩ ହଜାର କେନ୍ଦ୍ରରେ ପାଚେରି ନିର୍ମାଣ କରାଯିବ।

ଏହି ଘୋଷଣାକୁ ନେଇ ବିଜେପି ରାଜ୍ୟ ସମ୍ପାଦିକା ସ୍ମୃତି ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ବିଜେପି ସରକାର ନିଜ ସଙ୍କଳ୍ପ ପତ୍ରରେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛି। ଅଙ୍ଗନୱାଡ଼ି କର୍ମୀଙ୍କ ଆର୍ଥିକ ସୁରକ୍ଷା ସହ ମହିଳା ସଶକ୍ତୀକରଣ ଓ ଶିଶୁ ବିକାଶ ଦିଗରେ ଏହା ଏକ ବଡ଼ ପଦକ୍ଷେପ ବୋଲି ସେ ମତ ରଖିଛନ୍ତି।

Related Articles

Back to top button