
ମୋବାଇଲ ନ୍ୟୁଜ 24×7 ବ୍ୟୁରୋ; ୭୭ତମ ବନ ମହୋତ୍ସବ ସପ୍ତାହ ପାଳନର ଉଦ୍ଯାପନୀ ଅବସରରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଭୁବନେଶ୍ୱରସ୍ଥିତ କପିଳେଶ୍ଵର ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ବନ ମହୋତ୍ସବର ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ପ୍ରେରିତ ‘ଏକ ପେଡ୍ ମା କେ ନାମ’ ଅଭିଯାନ ଅଧୀନରେ ସେ ବିଦ୍ୟାଳୟ ପରିସରରେ ଏକ ଅଶୋକ ଚାରା ରୋପଣ କରିଛନ୍ତି ।
ମୂଖ୍ୟମନ୍ତ୍ରୀ କହିଛନ୍ତି ପ୍ରକୃତି ମାତାର ସେବା ଏବଂ ସୁରକ୍ଷା ନିମନ୍ତେ ଏହା ଆମ ସମସ୍ତଙ୍କର ଏକ ପବିତ୍ର କର୍ତ୍ତବ୍ୟ । ବର୍ତ୍ତମାନ ସମୟରେ କ୍ରମାଗତ ଭାବେ ବଢୁଥିବା ବିଶ୍ୱ ତାପମାତ୍ରା ଓ ଜଳବାୟୁ ପରିବର୍ତ୍ତନ ଭଳି ଜଟିଳ ଆହ୍ୱାନର ସ୍ଥାୟୀ ସମାଧାନ କେବଳ ବ୍ୟାପକ ବୃକ୍ଷରୋପଣ ଦ୍ୱାରା ହିଁ ସମ୍ଭବ । ପରିବେଶ ସୁରକ୍ଷା ଏବଂ ଚାରା ରୋପଣକୁ ଏକ ବ୍ୟାପକ ଜନ ଆନ୍ଦୋଳନରେ ପରିଣତ କରିଥିବା ଏହି ଅଭିଯାନ ଆଜି ଆମ ରାଜ୍ୟର ପୁରପଲ୍ଲୀରେ ବିପୁଳ ସଫଳତା ଲାଭ କରିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।



