ଭୟରେ ଥରହର ଅର୍ଥମନ୍ତ୍ରୀ । ଜୀବନ ଭୟରେ ଘର ଛାଡିଲେ !

ଧମକ ମିଳିବା ପରେ ଭୟରେ ଥରହର ଅର୍ଥମନ୍ତ୍ରୀ । ଜୀବନ ପ୍ରତି ବିପଦ ଥିବା ଆଶଙ୍କାରେ ନିଜ ବାସଭବନ ଛାଡ଼ି ଏକ ସାମରିକ ଘାଟିକୁ ସ୍ଥାନାନ୍ତର ହୋଇଛନ୍ତି ଆମେରିକୀୟ ତଥା ଟ୍ରେଜେରୀ ସଚିବ ସ୍କଟ୍ ବେସେଣ୍ଟ। ଇରାନଠାରୁ ଧମକ ମିଳିବା ପରେ ସେ ଅନ୍ୟତ୍ର ସ୍ଥାନାନ୍ତର ହୋଇଥିବା ଆଲୋଚନା ହେଉଛି । ଅନ୍ୟପଟେ, ଇରାନ ପକ୍ଷରୁ ଆମେରିକୀୟ ଅଧିକାରୀ ଓ ନାଗରିକଙ୍କୁ ଟାର୍ଗେଟ୍ କରିବା ପାଇଁ ସମ୍ଭାବ୍ୟ ଷଡ଼ଯନ୍ତ୍ରକୁ ନେଇ ଟ୍ରମ୍ପ ପ୍ରଶାସନ ମଧ୍ୟରେ ଚିନ୍ତା ବଢ଼ିଥିବା କୁହାଯାଉଛି।
ଗତ ମାସରେ ଜଣେ ବରିଷ୍ଠ ଆମେରିକୀୟ ଗୁଇନ୍ଦା ଅଧିକାରୀ ଏକ ମେମୋରେ ଚେତାବନୀ ଦେଇଥିଲେ ଯେ, ଆମେରିକୀୟ କର୍ମଚାରୀଙ୍କୁ ଟାର୍ଗେଟ୍ କରିବା ପାଇଁ ତେହେରାନର ଉଦ୍ୟମ ବଢ଼ିଛି। ଏପରିକି ଆମେରିକୀୟ ନାଗରିକଙ୍କ ବିରୋଧରେ କିଛି ଘାତକ ଷଡ଼ଯନ୍ତ୍ର ଉନ୍ନତ ପର୍ଯ୍ୟାୟରେ ପହଞ୍ଚିଥିବା ମେମୋରେ ଉଲ୍ଲେଖ ଥିବା ରଏଟର୍ସ ରିପୋର୍ଟ କରିଥିଲା। ତଥାପି ଆମେରିକୀୟ ଅଧିକାରୀମାନେ ଆକଳନ କରିଛନ୍ତି ଯେ, ଆମେରିକା ମାଟି କିମ୍ବା ବିଦେଶର ଅନ୍ୟ ସ୍ଥାନରେ ବଡ଼ ଧରଣର ଆକ୍ରମଣ କରିବାର ଇରାନର କ୍ଷମତା ସୀମିତ ରହିଛି।
ତେବେ, ଆମେରିକୀୟ ଅଧିକାରୀ କିମ୍ବା ନାଗରିକଙ୍କ ଉପରେ ଆକ୍ରମଣ ଷଡ଼ଯନ୍ତ୍ର ଅଭିଯୋଗକୁ ଇରାନ ପୂର୍ବରୁ ଖଣ୍ଡନ କରିଆସିଛି। ଏହି ମାମଲାରେ ଆମେରିକାର ଟ୍ରେଜେରୀ ବିଭାଗ ପକ୍ଷରୁ ତୁରନ୍ତ କୌଣସି ପ୍ରତିକ୍ରିୟା ମିଳିନାହିଁ।




