ରାଷ୍ଟ୍ରପତିଙ୍କ ବଡିଗାର୍ଡଙ୍କୁ ଗୁଳିମାଡ଼ !

ଦୀପାବଳିରେ ବାଣ ଫୁଟାକୁ ନେଇ ବଚସା, ରାଷ୍ଟ୍ରପତିଙ୍କ ଅଙ୍ଗରକ୍ଷୀଙ୍କ ମୁଣ୍ଡକୁ ଗୁଳିମାଡ଼! ଉତ୍ତରପ୍ରଦେଶର ବାଗପତ୍ ଜିଲ୍ଲାରେ ଘଟିଛି ଏଭଳି ଚାଞ୍ଚଲ୍ୟକର ଘଟଣା। ଗୁଳିମାଡ଼ରେ ଗୁରୁତର ଆହତ ହୋଇଛନ୍ତି ୨୬ ବର୍ଷୀୟ ଯବାନ ସୌରଭ ତୋମାର। ତାଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବା ବେଳେ ମିରଟର ଏକ ଘରୋଇ ହସ୍ପିଟାଲର ଆଇସିୟୁରେ ଚାଲିଛି ଚିକିତ୍ସା।
ସୂଚନା ଅନୁଯାୟୀ, ଦୀପାବଳି ରାତିରେ ସୌରଭ ନିଜ ଭାଇଙ୍କ ସହ ଘର ବାହାରେ ବାଣ ଫୁଟାଉଥିଲେ। ଏହି ସମୟରେ ଗାଁର ଧୀରଜ ଓ ତାଙ୍କ ଭାଇ ମୋନୁଙ୍କ ସହ କୌଣସି କଥାକୁ ନେଇ ଆରମ୍ଭ ହୋଇଥିଲା ବଚସା। ଦେଖୁ ଦେଖୁ କଥା କଟାକଟି ଉଗ୍ର ରୂପ ନେଇଥିଲା। ଅଭିଯୋଗ ଅନୁସାରେ, ଏହି ସମୟରେ ଧୀରଜ ଦେଶୀ ବନ୍ଧୁକରୁ ଗୁଳି ଚଳାଇଥିଲେ। ଗୁଳିଟି ସୌରଭଙ୍କ କାନ ପଛପଟ ମୁଣ୍ଡରେ ବାଜିଥିଲା। ଫଳରେ ସେ ଘଟଣାସ୍ଥଳରେ ହିଁ ତଳେ ପଡ଼ିଯାଇଥିଲେ। ଏପଟେ ଦୁଇ ପକ୍ଷ ମଧ୍ୟରେ ମାରପିଟ୍ ମଧ୍ୟ ହୋଇଥିବା ଅଭିଯୋଗ ହୋଇଛି।
ଗୁରୁତର ଅବସ୍ଥାରେ ସୌରଭଙ୍କୁ ପ୍ରଥମେ ହସ୍ପିଟାଲ ନିଆଯାଇଥିଲା। ପରେ ତାଙ୍କୁ ମିରଟର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଡାକ୍ତରମାନେ ଅସ୍ତ୍ରୋପଚାର କରି ତାଙ୍କ ମୁଣ୍ଡରୁ ଗୁଳି ବାହାର କରିଥିଲେ ମଧ୍ୟ ଏବେ ବି ତାଙ୍କ ଅବସ୍ଥା ଗୁରୁତର ରହିଛି। ସୌରଭ ୨୦୨୧ରେ ଭାରତୀୟ ସେନାରେ ଯୋଗ ଦେଇଥିଲେ। ସେ ବର୍ତ୍ତମାନ ରାଷ୍ଟ୍ରପତିଙ୍କ ଅଙ୍ଗରକ୍ଷୀ ଦଳରେ ନିୟୋଜିତ ଅଛନ୍ତି। ଦୀପାବଳି ପାଳନ ପାଇଁ ଛୁଟିରେ ନିଜ ଗାଁକୁ ଆସିଥିବା ବେଳେ ଏଭଳି ଅଘଟଣର ଶିକାର ହୋଇଛନ୍ତି।
ଘଟଣାକୁ ନେଇ ସୌରଭଙ୍କ ବାପା ଜନକ ରାଜ ଅଭିଯୁକ୍ତ ଧୀରଜ ଓ ମୋନୁଙ୍କ ବିରୋଧରେ ଏଫଆଇଆର ଦାଖଲ କରିଛନ୍ତି। ଉଭୟ ଅଭିଯୁକ୍ତ ଫେରାର ଥିବା ବେଳେ ପୋଲିସ ସେମାନଙ୍କୁ ଖୋଜାଖୋଜି କରୁଛି।ସାମାନ୍ୟ ବାଣ ଫୁଟାକୁ ନେଇ ଆରମ୍ଭ ହୋଇଥିବା ବିବାଦ ଶେଷରେ ଗୁଳିକାଣ୍ଡର ରୂପ ନେବା ଘଟଣା ଏବେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି।




