ଲୋୟର ପିଏମ୍ଜିରେ ପ୍ରାଥମିକ ଶିକ୍ଷକଙ୍କ ରଣହୁଙ୍କାର !

ମୋବାଇଲ ନ୍ୟୁଜ 24×7 ବ୍ୟୁରୋ : ଶିକ୍ଷା ବ୍ୟବସ୍ଥାର ମୂଳଦୁଆ ହେଉଛନ୍ତି ପ୍ରାଥମିକ ଶିକ୍ଷକ। ପିଲାଙ୍କ ଭବିଷ୍ୟତ ଗଢ଼ିବାରେ ଯାହାଙ୍କ ଭୂମିକା ସବୁଠୁ ଗୁରୁତ୍ୱପୂର୍ଣ୍ଣ। ହେଲେ ସେହି ଶିକ୍ଷକଙ୍କ ଦାବିକୁ ସରକାର ଅଣଦେଖା କରୁଥିବା ଅଭିଯୋଗ ଆଣିଛନ୍ତି ଆନ୍ଦୋଳନକାରୀ। ୟୁନାଇଟେଡ୍ ପ୍ରାଥମିକ ଶିକ୍ଷକ ୟୁନିୟନ୍ ଏବଂ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ପକ୍ଷରୁ ଲୋୟର ପିଏମ୍ଜିରେ ଚାଲିଛି ବିଶାଳ ଧାରଣା।
ସଂଘର ଅଭିଯୋଗ, ସରକାରୀ ଘୋଷଣାରେ ହାଇସ୍କୁଲ ଶିକ୍ଷକଙ୍କୁ ଗୁରୁତ୍ୱ ଦିଆଯାଉଥିବା ବେଳେ ପ୍ରାଥମିକ ଶିକ୍ଷକଙ୍କ ସମସ୍ୟା ଓ ଦାବିକୁ ଅଣଦେଖା କରାଯାଉଛି। ଦୀର୍ଘଦିନ ଧରି ନ୍ୟାଯ୍ୟ ଦାବି ପୂରଣ ହେଉନଥିବାରୁ ଏବେ ଆନ୍ଦୋଳନର ରାସ୍ତା ଆପଣାଇଛନ୍ତି ଶିକ୍ଷକ। ପ୍ରଥମତଃ, ଗ୍ରେଡ୍ ପେ ୨୨୦୦ ଟଙ୍କାରୁ ବୃଦ୍ଧି କରି ୪୨୦୦ ଟଙ୍କା କରିବାକୁ ଦାବି କରିଛି ସଂଘ। ଦ୍ୱିତୀୟତଃ, ଶିକ୍ଷା ସହାୟକ ଭାବେ ନିଯୁକ୍ତି ପାଇଥିବା ପ୍ରଥମ ୬ ବର୍ଷର ଚାକିରି ଅବଧିକୁ ଗୁରୁ ଶିକ୍ଷକ ପଦବୀର ଚାକିରି କାଳରେ ଗଣନା କରିବାକୁ ଦାବି ରଖିଛନ୍ତି ଆନ୍ଦୋଳନକାରୀ। ଦାବି ପୂରଣ ନହେଲେ ଆଗକୁ ଆନ୍ଦୋଳନକୁ ଆହୁରି ତୀବ୍ର କରିବାକୁ ମଧ୍ୟ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।
ତେବେ ପ୍ରାଥମିକ ଶିକ୍ଷକଙ୍କ ଏହି ଦାବି ପ୍ରତି ସରକାର କେବେ ଦୃଷ୍ଟି ଦେଉଛନ୍ତି, ଆଉ କେବେ ମିଳୁଛି ନ୍ୟାୟ? ଲୋୟର ପିଏମ୍ଜିରୁ ଉଠିଥିବା ଶିକ୍ଷକଙ୍କ ଏହି ଆନ୍ଦୋଳନର ସ୍ୱର ଏବେ ସରକାରଙ୍କ କାନରେ କେବେ ପହଞ୍ଚୁଛି, ତାହା ଉପରେ ରହିଛି ସମସ୍ତଙ୍କ ନଜର।




