ବାଲିଯାତ୍ରାରେ ପୁଣି ଘୁରିବ ଦୋଳି । ସର୍ତ୍ତମୂଳକ ଅନୁମତି ଦେଲା ପ୍ରଶାସନ

ମୋବାଇଲ ନ୍ୟୁଜ 24X7 ବ୍ୟୁରୋ : ବାଲିଯାତ୍ରାରେ ଦୋଳି ଦୁର୍ଘଟଣା ପରେ ଆକ୍ସନ ମୋଡ୍ରେ କଟକ ପ୍ରଶାସନ। ଜଣେ ଯୁବକଙ୍କ ମୃତ୍ୟୁ ଏବଂ ଅନ୍ୟ ଜଣେ ଗୁରୁତର ହେବା ପରେ ଦୋଳି ଚଳାଚଳ ଉପରେ ଲାଗିଥିଲା ରୋକ୍। ଆଜି ଗୋଟିଏ ଦିନ ପାଇଁ ସମସ୍ତ ଦୋଳି ବନ୍ଦ ରଖିବାକୁ ହୋଇଥିଲା ନିଷ୍ପତ୍ତି। ହେଲେ ଜିଲ୍ଲାପାଳ ଓ ଡିସିପିଙ୍କ ସହ ଆଲୋଚନା ପରେ ଏବେ ମିଳିଛି ସର୍ତ୍ତମୂଳକ ଅନୁମତି।
ପ୍ରଶାସନର ସର୍ତ୍ତ ଅନୁସାରେ, ଦୋଳି ଚାଲିବା ପୂର୍ବରୁ ହେବ କଡ଼ା ସୁରକ୍ଷା ଯାଞ୍ଚ। ପ୍ରତ୍ୟେକ ଦୋଳି ନିକଟରେ ଜଣେ ଲେଖାଏଁ କର୍ମଚାରୀ ଉପସ୍ଥିତ ରହିବେ। ମଦ୍ୟପ ଏବଂ ଛୋଟ ପିଲାଙ୍କୁ ଦୋଳିରେ ବସିବାକୁ ମିଳିବନି ଅନୁମତି। ଖାଲି ସେତିକି ନୁହେଁ, କୌଣସି ସ୍ଥାନରେ ନିୟମ ଉଲ୍ଲଂଘନ ହେଲେ ଦୋଳି ବ୍ୟବସାୟୀ ସଂଘ ତୁରନ୍ତ ଜିଲ୍ଲା ପ୍ରଶାସନକୁ ଜଣାଇବ। ଅର୍ଥାତ୍ ଏଥର ମନୋରଞ୍ଜନ ସହ ସୁରକ୍ଷା ଉପରେ ରହିବ କଡ଼ା ନଜର।
ତେବେ ଦୁର୍ଘଟଣା ପରେ ପ୍ରଶାସନର ଏହି କଡ଼ା ନିୟମ କେତେଦୂର ସୁରକ୍ଷା ସୁନିଶ୍ଚିତ କରୁଛି, ତାହା ହିଁ ଦେଖିବାର କଥା। କାରଣ ବାଲିଯାତ୍ରାର ମଜା ନେବାକୁ ଆସୁଥିବା କୌଣସି ଦର୍ଶକଙ୍କ ଜୀବନ ଯେପରି ବିପଦରେ ନପଡ଼େ, ତାହା ହିଁ ସବୁଠାରୁ ବଡ଼ ଦାୟିତ୍ୱ।




