ଜାତୀୟ

ଅନ୍ତିମ ସଂସ୍କାର ପାଇଁ ନିଆରା ସର୍ଭିସ୍ । ୬ ହଜାରରୁ ଆରମ୍ଭ, ପ୍ୟାକେଜ୍ ୧.୫ ଲକ୍ଷ

ଜୀବନର ଶେଷ ଯାତ୍ରାରେ ଆଉ ରହିବନି ଚାରି କାନ୍ଧର ଚିନ୍ତା! ମୃତ୍ୟୁ ପରେ ଶବକୁ ଶ୍ମଶାନ ପର୍ଯ୍ୟନ୍ତ ନେବାଠାରୁ ଆରମ୍ଭ କରି ଶେଷକୃତ୍ୟ ପର୍ଯ୍ୟନ୍ତ ସବୁ ବ୍ୟବସ୍ଥା କରିବ ଏକ ସଂସ୍ଥା। ଏହି ସେବା ଯୋଗାଇ ଦେଉଛି ‘ମୋକ୍ଷ ଭଏଜ୍’। ସାଧାରଣତଃ ପରିବାରରେ କାହାର ମୃତ୍ୟୁ ହେଲେ ଶୋକରେ ଭାଙ୍ଗି ପଡ଼ନ୍ତି ପରିଜନ। ଏଭଳି ସମୟରେ ଶବ ସତ୍କାର ପାଇଁ ଆବଶ୍ୟକ ସାମଗ୍ରୀ ଯୋଗାଡ଼ଠାରୁ ଆରମ୍ଭ କରି ସମସ୍ତ ରୀତିନୀତି ପାଳନ କରିବା ହୋଇପଡ଼େ କଷ୍ଟକର। ବିଶେଷକରି ସହରୀ ଜୀବନରେ ଲୋକବଳର ଅଭାବ ଏହି ସମସ୍ୟାକୁ ଆହୁରି ବଢ଼ାଇ ଦେଉଛି।

ଆଉ ଏହି ସମସ୍ୟାର ସମାଧାନ ପାଇଁ ଆସିଛି ଅନ୍ତିମ ସଂସ୍କାରର ସମ୍ପୂର୍ଣ୍ଣ ପ୍ୟାକେଜ୍। ଯେଉଁଥିରେ ରହିଛି ଶବକୁ କାନ୍ଧ ଦେବା ପାଇଁ ଚାରି ଜଣ ଲୋକଙ୍କ ବ୍ୟବସ୍ଥା। ଏହା ସହ ଶବ ଦାହ, ପାରମ୍ପରିକ ପୂଜାପାଠ, ଅସ୍ଥି ବିସର୍ଜନ ଏବଂ ପରବର୍ତ୍ତୀ ସମୟରେ ଶ୍ରାଦ୍ଧ କର୍ମର ମଧ୍ୟ ବ୍ୟବସ୍ଥା ରହିଛି।ସବୁଠାରୁ ବଡ଼ କଥା ହେଉଛି, ଗ୍ରାହକଙ୍କ ବଜେଟ୍ ଓ ଆବଶ୍ୟକତା ଅନୁସାରେ ରହିଛି ଭିନ୍ନ ଭିନ୍ନ ପ୍ୟାକେଜ୍। ୬ ହଜାର ଟଙ୍କାରୁ ଆରମ୍ଭ କରି ଏହାର ମୂଲ୍ୟ ରହିଛି ୧ ଲକ୍ଷ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ।

ବିଶେଷକରି ଯେଉଁ ପରିବାରର ପିଲାମାନେ ଚାକିରି କିମ୍ବା ପାଠପଢ଼ା ପାଇଁ ବିଦେଶରେ ରହୁଛନ୍ତି, କିମ୍ବା ଘରେ କେବଳ ବୃଦ୍ଧ ବାପାମାଆ ରହୁଛନ୍ତି, ସେମାନଙ୍କ ପାଇଁ ଏହି ସେବା ବେଶ୍ ସହାୟକ ହୋଇପାରେ। ତେବେ ଜୀବନର ଶେଷ ଯାତ୍ରାକୁ ନେଇ ଏଭଳି ପ୍ୟାକେଜ୍ ନିଶ୍ଚିତ ଭାବେ ଏକ ନୂଆ ଧାରଣା। କେହି ଏହାକୁ ଆଧୁନିକ ସମୟର ଆବଶ୍ୟକତା ବୋଲି କହୁଥିବା ବେଳେ, ଆଉ କେହି ଏହାକୁ ପାରମ୍ପରିକ ରୀତିନୀତିର ବ୍ୟବସାୟୀକରଣ ବୋଲି ମତ ରଖୁଛନ୍ତି। ତେବେ ସମୟ ସହ ଏହି ସେବା କେତେ ଗ୍ରହଣୀୟ ହେଉଛି, ତାହା ଦେଖିବାକୁ ବାକି ରହିଲା।

Related Articles

Back to top button