ଲୋକସଭା ଆସନ ୫୦% ବଢ଼ାଇବାକୁ ପ୍ରସ୍ତାବ! ୫୪୩ରୁ ୮୫୦ ହୋଇପାରେ ସାଂସଦଙ୍କ ସଂଖ୍ୟା

ମୋବାଇଲ ନ୍ୟୁଜ 24×7 ବ୍ୟୁରୋ : ବର୍ତ୍ତମାନ ଲୋକସଭାରେ ରହିଛି ୫୪୩ଟି ନିର୍ବାଚିତ ଆସନ। ଏହାକୁ ୫୦ ପ୍ରତିଶତ ବଢ଼ାଇବା ପାଇଁ ଯୋଜନା ହେଉଥିବାରୁ ସଂସଦରେ ସାଂସଦଙ୍କ ସଂଖ୍ୟା ପ୍ରାୟ ୮୫୦ରେ ପହଞ୍ଚିପାରେ। ଏହି ପ୍ରସ୍ତାବରେ ସବୁ ରାଜ୍ୟର ଆସନ ସଂଖ୍ୟା ବଢ଼ିବାର ସମ୍ଭାବନା ରହିଛି।ତେବେ ଏଠାରେ ସବୁଠୁ ବଡ଼ ପ୍ରସଙ୍ଗ ହେଉଛି ଆସନ ବଣ୍ଟନ। କେଉଁ ରାଜ୍ୟକୁ କେତେ ଆସନ ମିଳିବ? ଜନସଂଖ୍ୟା ଆଧାରରେ ଆସନ ବଣ୍ଟନ ହେଲେ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକର ପ୍ରତିନିଧିତ୍ୱ ହ୍ରାସ ପାଇବା ନେଇ ପୂର୍ବରୁ ଆଶଙ୍କା ରହିଛି।
ବିଶେଷକରି ଜନସଂଖ୍ୟା ନିୟନ୍ତ୍ରଣରେ ସଫଳ ହୋଇଥିବା ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକର ରାଜନୈତିକ ପ୍ରତିନିଧିତ୍ୱ ଯେପରି କମିବ ନାହିଁ, ସେଥିପ୍ରତି ଗୁରୁତ୍ୱ ଦିଆଯାଇପାରେ। ତେଣୁ ବର୍ତ୍ତମାନର ଆସନ ବଣ୍ଟନ ଅନୁପାତକୁ ବଜାୟ ରଖି ଆସନ ସଂଖ୍ୟା ବଢ଼ାଇବା ନେଇ ଆଲୋଚନା ହେଉଛି।ଏହି ପ୍ରସ୍ତାବର ଆଉ ଏକ ବଡ଼ ଦିଗ ହେଉଛି ମହିଳା ସଂରକ୍ଷଣ ଆଇନ। ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ ଲାଗୁ କରିବା ଦିଗରେ ସରକାର ଆଇନଗତ ପରିବର୍ତ୍ତନ କରିବାକୁ ଚାହୁଁଥିବା କୁହାଯାଉଛି।
ଏ ସମ୍ପର୍କିତ ସମ୍ବିଧାନ ସଂଶୋଧନ ବିଲ୍ ଏପ୍ରିଲରେ ଲୋକସଭାରେ ପାରିତ ହୋଇପାରିନଥିଲା। ଏବେ ନୂଆ ପ୍ରସ୍ତାବକୁ ନେଇ ନଭେମ୍ବର ୩୦ରୁ ଆରମ୍ଭ ହେବାକୁ ଥିବା ସଂସଦର ସ୍ୱତନ୍ତ୍ର ଅଧିବେଶନରେ ସରକାର ଆଲୋଚନା କରିପାରନ୍ତି।ଏହି ଆସନ ବୃଦ୍ଧି ବ୍ୟବସ୍ଥାକୁ ୨୦୫୧ ପର୍ଯ୍ୟନ୍ତ ଜାରି ରଖିବା ନେଇ ଯୋଜନା ଥିବା କୁହାଯାଉଛି। ତେବେ କେଉଁ ରାଜ୍ୟରେ କେତେ ଆସନ ବଢ଼ିବ, ତାହା ସୀମା ପୁନର୍ନିର୍ଦ୍ଧାରଣ ବା ଡିଲିମିଟେସନ୍ ପ୍ରକ୍ରିୟା ପରେ ସ୍ପଷ୍ଟ ହେବ।ଏଥିପାଇଁ ସମ୍ବିଧାନ ସଂଶୋଧନ ଓ ଆବଶ୍ୟକ ଆଇନଗତ ପଦକ୍ଷେପ ମଧ୍ୟ ଜରୁରୀ।
ତେବେ ଲୋକସଭାରେ ସାଂସଦଙ୍କ ସଂଖ୍ୟା ୮୫୦କୁ ବୃଦ୍ଧି ପାଇଲେ ଦେଶର ରାଜନୈତିକ ପ୍ରତିନିଧିତ୍ୱରେ କେଉଁ ପରିବର୍ତ୍ତନ ଆସିବ? ଦକ୍ଷିଣ ଓ ଉତ୍ତର ଭାରତ ମଧ୍ୟରେ ଆସନ ବଣ୍ଟନ କିପରି ହେବ? ଆଉ ମହିଳା ସଂରକ୍ଷଣ କେବେ ଲାଗୁ ହେବ? ଏସବୁ ପ୍ରଶ୍ନର ଉତ୍ତର ଏବେ ସଂସଦର ପରବର୍ତ୍ତୀ ନିଷ୍ପତ୍ତି ଉପରେ ନିର୍ଭର କରୁଛି।




