
ଲୋୟର ପିଏମ୍ଜିରେ ପ୍ରାଥମିକ ଶିକ୍ଷକଙ୍କ ରଣହୁଙ୍କାର। ବିଭିନ୍ନ ଦାବି ନେଇ ରାଜଧାନୀରେ ଏକାଠି ହୋଇଛନ୍ତି ହଜାର ହଜାର ପ୍ରାଥମିକ ଶିକ୍ଷକ। ୟୁନାଇଟେଡ୍ ପ୍ରାଥମିକ ଶିକ୍ଷକ ୟୁନିୟନ୍ ଏବଂ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ପକ୍ଷରୁ ଏହି ଧାରଣା ଦିଆଯାଇଛି। ନିଜର ନ୍ୟାଯ୍ୟ ଦାବି ପୂରଣ ପାଇଁ ସରକାରଙ୍କ ନିକଟରେ ଦାବି ଜଣାଇଛନ୍ତି ଶିକ୍ଷକମାନେ। ସଂଘର ଅଭିଯୋଗ ଅନୁସାରେ, ଶିକ୍ଷା ବ୍ୟବସ୍ଥାର ମୂଳଦୁଆ ହେଉଛନ୍ତି ପ୍ରାଥମିକ ଶିକ୍ଷକ। ପିଲାଙ୍କ ଶିକ୍ଷା ଜୀବନର ପ୍ରଥମ ପାହାଚରେ ସେମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ହେଲେ ସରକାରୀ ଘୋଷଣା ଓ ସୁବିଧା କ୍ଷେତ୍ରରେ ପ୍ରାଥମିକ ଶିକ୍ଷକଙ୍କୁ ଉପଯୁକ୍ତ ଗୁରୁତ୍ୱ ମିଳୁନାହିଁ। ହାଇସ୍କୁଲ ଶିକ୍ଷକଙ୍କ ପାଇଁ ବିଭିନ୍ନ ଘୋଷଣା କରାଯାଉଥିବା ବେଳେ ପ୍ରାଥମିକ ଶିକ୍ଷକଙ୍କ ଦାବିକୁ ଅଣଦେଖା କରାଯାଉଥିବା ସଂଘ ପକ୍ଷରୁ ଅଭିଯୋଗ ହୋଇଛି।
ଧାରଣାରେ ଶିକ୍ଷକମାନେ ମୁଖ୍ୟତଃ ଗ୍ରେଡ୍ ପେ ବୃଦ୍ଧି ଦାବି ଉଠାଇଛନ୍ତି। ବର୍ତ୍ତମାନର ୨୨୦୦ ଟଙ୍କା ଗ୍ରେଡ୍ ପେକୁ ୪୨୦୦ ଟଙ୍କାକୁ ବୃଦ୍ଧି କରିବାକୁ ସଂଘ ଦାବି କରିଛି। ଏହାସହ ଶିକ୍ଷା ସହାୟକ ଭାବେ ନିଯୁକ୍ତି ପାଇଥିବା ୬ ବର୍ଷର ଅବଧିକୁ ଶିକ୍ଷକ ପଦବୀର ଚାକିରି ଅବଧିରେ ଗଣନା କରିବାକୁ ମଧ୍ୟ ଦାବି ହୋଇଛି। ଶିକ୍ଷକଙ୍କ କହିବା ଅନୁଯାୟୀ, ଏହି ଦାବିଗୁଡ଼ିକ ପୂରଣ ହେଲେ ସେମାନଙ୍କ ଚାକିରି ସମ୍ପର୍କିତ ସୁବିଧା ଓ ଆର୍ଥିକ ସ୍ଥିତିରେ ସୁଧାର ଆସିପାରିବ। ତେଣୁ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ସଂଘ ଚେତାବନୀ ଦେଇଛି।
ତେବେ ପ୍ରାଥମିକ ଶିକ୍ଷକଙ୍କ ଏହି ଦାବି ଉପରେ ସରକାର କେବେ ନିଷ୍ପତ୍ତି ନେଉଛନ୍ତି ଏବଂ ଆନ୍ଦୋଳନର କେବେ ସମାଧାନ ବାହାରୁଛି, ତାହା ଉପରେ ଏବେ ନଜର।




