ଅସୁସ୍ଥ ବିଜେପିର ବରିଷ୍ଠ ନେତା

ହଠାତ ଅସୁସ୍ଥ ହୋଇପଡିଲେ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ । ଆଉ ତାଙ୍କୁ ଦିଲ୍ଲୀ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ନେଇ ସୂଚନା ମିଳିଛି । ଛାତିରେ ସଂକ୍ରମଣ ଯୋଗୁଁ ଅସୁସ୍ଥ ହୋଇପଡିଥିଲେ । ତାଙ୍କୁ ଛାତିରୋଗ ବିଭାଗରେ ଭର୍ତ୍ତି କରାଯାଇଛି ଏବଂ ଡାକ୍ତରଙ୍କ ଏକ ଟିମ୍ ତାଙ୍କ ଉପରେ ନଜର ରଖିଛନ୍ତି। ଚିକିତ୍ସା ପରେ ଆଡଭାନୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ।
୯୮ ବର୍ଷୀୟ ଆଡଭାନୀଙ୍କୁ ଗତକାଲି ସନ୍ଧ୍ୟା ପ୍ରାୟ ସାଢେ ୭ଟାରେ ହସ୍ପିଟାଲକୁ ଅଣାଯାଇଥିଲା। ଏହା ପୂର୍ବରୁ ମଧ୍ୟ ୨୦୨୪ରେ ତାଙ୍କୁ ସ୍ବାସ୍ଥ୍ୟ ସମସ୍ୟା ନେଇ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୨୦୨୪ ମସିହାରେ ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନ ସମ୍ମାନ ପ୍ରଦାନ କରାଯାଇଥିଲା। ଲାଲକୃଷ୍ଣ ଆଡଭାନୀ ରାମ ମନ୍ଦିର ଆନ୍ଦୋଳନର ଥିଲେ ମୁଖ୍ୟ ପୁରୋଧା। ଲାଲକୃଷ୍ଣ ଆଡଭାନୀ ୩ ଥର ବିଜେପିର ସଭାପତି ଭାବେ କାର୍ଯ୍ୟ କରିଛନ୍ତି। ୧୯୮୬ରୁ ୧୯୯୦, ୧୯୯୩ ରୁ ୧୯୯୮, ଏବଂ ୨୦୦୪ ରୁ ୨୦୦୫ ପର୍ଯ୍ୟନ୍ତ ସେ ବିଜେପି ସଭାପତି ଭାବେ କାର୍ଯ୍ୟ କରିଥିଲେ।




