Breaking Newsରାଜନୀତି

ଖଣି ଆଇନକୁ ନେଇ ଇଣ୍ଡିଆ ବ୍ଲକ୍‌ର ରଣହୁଙ୍କାର

ଖଣିଜ ସମ୍ପଦ ଉପରେ ରାଜ୍ୟର ଅଧିକାର, ନିର୍ବାଚନୀ ବ୍ୟବସ୍ଥା, ଶିକ୍ଷା ଓ ବନ୍ୟା ପୀଡ଼ିତଙ୍କ ସହାୟତା | ଏହି ଚାରିଟି ପ୍ରମୁଖ ପ୍ରସଙ୍ଗକୁ ନେଇ ରାଜଧାନୀରେ ଶକ୍ତି ପ୍ରଦର୍ଶନ କରିଛି ଇଣ୍ଡିଆ ବ୍ଲକ୍‌। ଇଣ୍ଡିଆ ବ୍ଲକ୍‌ର ଦାବି ହେଉଛି, ଓଡ଼ିଶାର ଖଣିଜ ସମ୍ପଦ ଓ ରାଜସ୍ୱ ଉପରେ ରାଜ୍ୟର ଅଧିକାରକୁ କ୍ଷୁଣ୍ଣ କରୁଥିବା କେନ୍ଦ୍ରୀୟ ନୀତି ପ୍ରତ୍ୟାହାର କରାଯାଉ ଏବଂ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ ୨୦୨୬କୁ ରଦ୍ଦ କରାଯାଉ।

ଏହା ସହ ନିର୍ବାଚନ ପ୍ରକ୍ରିୟା ଓ ଭୋଟର ତାଲିକାକୁ ନେଇ ବିରୋଧୀ ଦଳଗୁଡ଼ିକ ଉଠାଇଥିବା ଅଭିଯୋଗର ତଦନ୍ତ ଦାବି କରାଯାଇଛି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦରୁ ହଟାଇବାକୁ ମଧ୍ୟ ଇଣ୍ଡିଆ ବ୍ଲକ୍‌ ଦାବି କରିଛି।ଓଡ଼ିଶାର ଶିକ୍ଷା ବ୍ୟବସ୍ଥାକୁ ନେଇ ମଧ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଛି ବିରୋଧୀ ମେଣ୍ଟ।ଶିକ୍ଷକ ଓ ଭିତ୍ତିଭୂମିର ଅଭାବ ସହ ଶିକ୍ଷା ବ୍ୟବସ୍ଥାରେ ଅବ୍ୟବସ୍ଥା ରହିଥିବା ଅଭିଯୋଗ କରି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କରିଛି ଇଣ୍ଡିଆ ବ୍ଲକ୍‌।

ଅନ୍ୟପଟେ ବନ୍ୟା ପ୍ରଭାବିତ ଲୋକଙ୍କୁ ତୁରନ୍ତ ଓ ପର୍ଯ୍ୟାପ୍ତ ସହାୟତା, କ୍ଷତିପୂରଣ, ଖାଦ୍ୟ ଓ ଆବଶ୍ୟକ ସାମଗ୍ରୀ ଯୋଗାଇବା ସହ ପୁନର୍ବାସନ ବ୍ୟବସ୍ଥା କରିବାକୁ ମଧ୍ୟ ଦାବି ହୋଇଛି।ଏହି ଆନ୍ଦୋଳନରେ କଂଗ୍ରେସ, ସିପିଆଇ, ସିପିଆଇ(ଏମ୍), ସିପିଆଇ(ଏମ୍‌ଏଲ୍) ଲିବରେସନ୍‌, ଫରୱାର୍ଡ ବ୍ଲକ୍‌, ଏନ୍‌ସିପି–ଶରଦ ପାୱାର, ସମାଜବାଦୀ ପାର୍ଟି, ଆର୍‌ଜେଡି ଓ ଜେଏମ୍‌ଏମ୍‌ର ନେତାମାନେ ସାମିଲ ହୋଇଥିବା କୁହାଯାଇଛି।କଂଗ୍ରେସ ରାଜ୍ୟ ସଭାପତି ଭକ୍ତ ଚରଣ ଦାସଙ୍କ ସମେତ ବିଭିନ୍ନ ଦଳର ରାଜ୍ୟସ୍ତରୀୟ ନେତାମାନେ ସଭାରେ ଉଦ୍‌ବୋଧନ ଦେଇଥିଲେ।

ଆନ୍ଦୋଳନକୁ ଆଗକୁ ନେଇ ଆସନ୍ତା ୮ ଅକ୍ଟୋବର ୨୦୨୬ରେ ସମଗ୍ର ଓଡ଼ିଶା ବନ୍ଦ ପାଳନ ପାଇଁ ଭକ୍ତ ଚରଣ ଦାସ ଆହ୍ୱାନ ଦେଇଛନ୍ତି।ଇଣ୍ଡିଆ ବ୍ଲକ୍‌ର ଆହ୍ୱାନ ଅନୁସାରେ, ଏହି ବନ୍ଦରେ ଶ୍ରମିକ, କୃଷକ, କୃଷି ଶ୍ରମିକ, ଯୁବ, ଛାତ୍ର, ମହିଳା, ଆଦିବାସୀ, ଦଳିତ, ବ୍ୟବସାୟୀ ଓ ବୁଦ୍ଧିଜୀବୀଙ୍କୁ ସାମିଲ କରିବାକୁ ଦଳଗୁଡ଼ିକ ଆହ୍ୱାନ ଦେଇଛନ୍ତି।

Related Articles

Back to top button