Uncategorized

ଦକ୍ଷିଣ ଓଡ଼ିଶାରେ ବନ୍ୟା ପରିସ୍ଥିତି: ଇନ୍ଦ୍ରାବତୀର ୫ ଗେଟ୍ ଖୋଲା, ୬ ଜିଲ୍ଲାରେ ସ୍କୁଲ୍ ଛୁଟି

ଭୁବନେଶ୍ୱର: ରାଜ୍ୟରେ ଗଭୀର ଅବପାତ ପ୍ରଭାବରେ ଜାରି ରହିଥିବା ଲଗାଣ ବର୍ଷା ଦକ୍ଷିଣ ଓଡ଼ିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି। ଦକ୍ଷିଣ ଓଡ଼ିଶାର ସମସ୍ତ ପ୍ରମୁଖ ନଦୀଗୁଡ଼ିକର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଥିବା ନେଇ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ଶୁକ୍ରବାର ସୂଚନା ଦେଇଛନ୍ତି। ଜଳସ୍ତର ବୃଦ୍ଧି ପାଉଥିବାରୁ ଇନ୍ଦ୍ରାବତୀ ଡ୍ୟାମ୍‌ର ୫ଟି ଗେଟ୍ ଖୋଲାଯାଇଛି। ସେହିପରି ବୁଢ଼ାବଳଙ୍ଗ ନଦୀର ଜଳସ୍ତର କେବଳ ସତର୍କ ସୂଚନା ଛୁଇଁବାର ସମ୍ଭାବନା ଥିବା ବେଳେ ସୁବର୍ଣ୍ଣରେଖାରେ ବଡ଼ ବନ୍ୟାର ଭୟ ନାହିଁ। ଅପରପକ୍ଷରେ ମହାନଦୀ ଓ ବ୍ରାହ୍ମଣୀ ନଦୀରେ ବନ୍ୟା ହେବାର କୌଣସି ଆଶଙ୍କା ନାହିଁ ବୋଲି ସର୍ବୋଚ୍ଚ ଯନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ପୂର୍ବରୁ ୧୨ଟି ଜିଲ୍ଲାରେ ଶିକ୍ଷାନୁଷ୍ଠାନଗୁଡ଼ିକୁ ଛୁଟି ଘୋଷଣା କରାଯାଇଥିଲା। ତେବେ ପରିସ୍ଥିତିକୁ ବିଚାର କରି ୬ଟି ଜିଲ୍ଲାରେ ଆଉ ଗୋଟିଏ ଦିନ ଛୁଟି ବୃଦ୍ଧି କରାଯାଇଛି। ଶୁକ୍ରବାର ଗଞ୍ଜାମ, ଗଜପତି, ନବରଙ୍ଗପୁର, କଳାହାଣ୍ଡି, କୋରାପୁଟ ଓ ରାୟଗଡ଼ା ଜିଲ୍ଲାରେ ସମସ୍ତ ସ୍କୁଲ ବନ୍ଦ ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ଅନ୍ୟପଟେ ବାରମ୍ବାର ସ୍କୁଲ ଛୁଟି ହେଉଥିବାରୁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଗୁରୁତର ଭାବେ ବ୍ୟାହତ ହେଉଛି।

Related Articles

Back to top button