ନିର୍ମଳାଳୟ ସେବାଶ୍ରମରେ ମାସିକ ବନ୍ଧୁ ମିଳନ କାର୍ଯ୍ୟକ୍ରମ

ଭୁବନେଶ୍ବର: ଗତ ସେପ୍ଟେମ୍ବର ୨୦ ତାରିଖ ଦିନ ନିର୍ମଳାଳୟ ସେବାଶ୍ରମ ପରିସରରେ ଆଶ୍ରମର ଭାଇ ଓ ମାଆମାନଙ୍କୁ ନେଇ ଏକ ମାସିକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆନନ୍ଦ-ଉଲ୍ଲାସର ସହ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ଦିନ ପରେ ସମସ୍ତ ସଦସ୍ୟ ଏକାଠି ହେବାର ସୁଯୋଗ ପାଇଥିବାରୁ ପରିବେଶ ବେଶ୍ ଉତ୍ସବମୁଖର ହୋଇଉଠିଥିଲା। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଭାବପୂର୍ଣ୍ଣ ଭଜନ-ଜଣାଣ ପରିବେଷଣ କରାଯାଇ ଆଶ୍ରମ ପରିବେଶକୁ ଆଧ୍ୟାତ୍ମିକତା ଓ ଆନନ୍ଦରେ ମୁଖରିତ କରାଯାଇଥିଲା। ଏହି ଅବସରରେ ଜଣେ କୋମଳମତି ଶିଶୁର ସଙ୍ଗୀତ ପରିବେଷଣ ଉପସ୍ଥିତ ସମସ୍ତ ସଦସ୍ୟଙ୍କ ମନମୁଗ୍ଧ କରିଥିଲା। ସମ୍ପ୍ରତି ଲଗାଣ ବର୍ଷା ଯୋଗୁଁ ସେବାଶ୍ରମର ବହୁତ କ୍ଷୟକ୍ଷତି ହୋଇଥିଲେ ସୁଦ୍ଧା, ଦିଲ୍ଲୀପ ଭାଇଙ୍କ ଅକ୍ଲାନ୍ତ ଓ ନିରନ୍ତର ପ୍ରଚେଷ୍ଠା ବଳରେ ଆଶ୍ରମର ସୁନ୍ଦର ପରିବେଶ ଓ ସୁସଜ୍ଜିତ ବୃକ୍ଷଲତାଗୁଡ଼ିକ ପୂର୍ବପରି ଶୋଭା ପାଉଛି।

ତାଙ୍କର ବ୍ୟକ୍ତିଗତ ଅସୁବିଧା ଥାଇ ମଧ୍ୟ ସେବାଶ୍ରମର ଯତ୍ନ ନେବାରେ ସେ କୌଣସି ହେଳା କରିନାହାଁନ୍ତି ଏବଂ ବିଭିନ୍ନ ନୂତନ ଉନ୍ନତିମୂଳକ କାର୍ଯ୍ୟ ମଧ୍ୟ ହୋଇପାରିଛି। ଦିଲ୍ଲୀପ ଭାଇଙ୍କର ଏହି ନିଷ୍ଠାପର ସେବା ମନୋଭାବକୁ ସମସ୍ତ ଭାଇ ଓ ମାଆମାନେ ଉଚ୍ଚ ପ୍ରଶଂସା କରିଛନ୍ତି। ଏହି ସମ୍ମିଳନୀ ଅବସରରେ ଆଜୀବନ ସଦସ୍ୟ ସୁରେନ୍ଦ୍ର ପଟ୍ଟନାୟକ ନିଜର ମତାମତ ରଖି କହିଛନ୍ତି ଯେ, ସମସ୍ତଙ୍କର ସମାନ ମାନସିକତା ଓ ଶ୍ରଦ୍ଧା ଯୋଗୁଁ ଆଜି ଆମେ ସମସ୍ତେ ଏକାଠି ହୋଇପାରିଛୁ। ଦିଲ୍ଲୀପ ଭାଇଙ୍କ ପରି ପ୍ରତିଦିନ ଯିବା ସମସ୍ତଙ୍କ ପକ୍ଷେ ସମ୍ଭବ ନହେଲେ ହେଁ, ପ୍ରତି ମାସରେ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମକୁ ନିୟମିତ ଚାଲୁ ରଖିବା ସହ ଆଶ୍ରମର ପ୍ରଗତି ପାଇଁ ସମସ୍ତେ ନିଜ ନିଜର ମୂଲ୍ୟବାନ ମତାମତ ଦେବା ଜରୁରୀ। ଅସୁବିଧା ଯୋଗୁଁ ଯେଉଁ ସଦସ୍ୟମାନେ ଉପସ୍ଥିତ ରହିପାରିନଥିଲେ, ସେମାନଙ୍କ ଅନୁପସ୍ଥିତି ଗଭୀର ଭାବେ ଅନୁଭୂତ ହୋଇଥିଲା। ଆଗାମୀ ମାସିକ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ସମସ୍ତ ଭାଇ ଓ ମାଆମାନେ ନିଶ୍ଚିତ ଯୋଗଦେବାକୁ ଅନୁରୋଧ କରାଯିବା ସହ ଏହି ସମ୍ପର୍କରେ ସମସ୍ତଙ୍କ ମତାମତ ଆହ୍ବାନ କରାଯାଇଛି।




