Uncategorized

ଜଙ୍ଗଲି ଭାଲୁ ଆକ୍ରମଣ: ୨ ଗୁରୁତର, ଜଣେ ଆହତ

ଭୁବନେଶ୍ବର: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡ ଅନ୍ତର୍ଗତ ଘୋଷରାମାଳ ଗ୍ରାମ ନିକଟସ୍ଥ ଜଙ୍ଗଲରେ ସୋମବାର ଦିନ ଜଙ୍ଗଲି ଭାଲୁ ଆକ୍ରମଣରେ ଦୁଇ ଜଣ ଗୁରୁତର ଓ ଜଣେ ସାମାନ୍ୟ ଆହତ ହୋଇଛନ୍ତି। ଗୁରୁତର ଆହତମାନେ ହେଲେ ଘୋଷରାମାଳ ଗ୍ରାମର ସରଧା ରାଉଳ (୫୮) ଓ ସୌରଭ ପ୍ରଧାନ (୧୪)। ମିଳିଥିବା ସୂଚନା ଅନୁସାରେ, ସରଧା ରାଉଳ ନିଜ ଚାଷ ଜମିକୁ ଯାଇଥିବା ସମୟରେ ହଠାତ୍ ଏକ ଜଙ୍ଗଲି ଭାଲୁ ତାଙ୍କୁ ଆକ୍ରମଣ କରିଥିଲା। ସେ ଉପସ୍ଥିତ ବୁଦ୍ଧି ଖଟାଇ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲେ। ସେହିପରି ଗ୍ରାମର ଛାତ୍ର ସୌରଭ ଘର ନିକଟ ଜଙ୍ଗଲକୁ ଶୌଚ ପାଇଁ ଯାଇଥିବା ବେଳେ ଉକ୍ତ ଭାଲୁଟି ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲା। ତେବେ ନିକଟରେ ସୌରଭଙ୍କ ମାମୁଁ ଉପସ୍ଥିତ ଥିବାରୁ ଏକ ବଡ଼ ଅନିଷ୍ଟରୁ ସେ ରକ୍ଷା ପାଇଯାଇଥିଲେ। ଘଟଣା ସମ୍ପର୍କରେ ଜାଣିବା ପରେ ପରିବାର ଲୋକେ ଆହତମାନଙ୍କୁ ଉଦ୍ଧାର କରି ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅନ୍ୟପଟେ ବନ ବିଭାଗ ଘଟଣାର ତଦନ୍ତ ଆରମ୍ଭ କରିବା ସହ ଏକୁଟିଆ ଜଙ୍ଗଲକୁ ନ ଯିବା ପାଇଁ ଗ୍ରାମବାସୀଙ୍କୁ ସତର୍କ କରାଇଛି।

Related Articles

Back to top button