୨ ବର୍ଷ ମଧ୍ୟରେ ଜଗନ୍ନାଥ ଜମିରେ ସେଟଲମେଣ୍ଟ
ମୋବାଇଲ ନ୍ୟୁଜ୍ 24×7 ବ୍ୟୁରୋ; ସରକାରଙ୍କ ପକ୍ଷରୁ ଆରମ୍ଭ ହେବାକୁ ଯାଉଛି ଶ୍ରୀଜଗନ୍ନାଥ ମନ୍ଦିର ଭୂମି ସଂଚାଳନ କମିଟି । ଏହାଦ୍ୱାରା ଜଗନ୍ନାଥଙ୍କ ଜାଗାରେ ଯେଉଁମାନେ ବସବାସ କରୁଛନ୍ତି ସେମାନଙ୍କ ନାମରେ ପଟ୍ଟା ହୋଇପାରିବ । 2007 ପୂର୍ବରୁ ଦଖଲରେ ଥିଲେ ହୋଇ ପାରିବ ସେଟେଲମେଣ୍ଟ । ଶ୍ରୀଜଗନ୍ନାଥ ମନ୍ଦିର ଭୂମି ସଂଚାଳନ କମିଟିରେ ଜିଲ୍ଲାପାଳମାନେ କମିଟିର ମୁଖ୍ୟ ରହିବେ । ଆଡମିନ ରହିବେ କମିଟିର ନୋଡାଲ୍ ଅଫିସର । ପୋର୍ଟାଲରେ ଆବେଦନ କରିବାକୁ ହେବ । ଆବେଦନକାରୀଙ୍କୁ ରେକର୍ଡ, ରେଜିଷ୍ଟର୍ଡ ଡିଡ୍, ଭଡ଼ା ରସିଦ, ଆବଶ୍ୟକ ହେଲେ ଲିଗାଲ୍ ହେୟାର୍ ସାର୍ଟିଫିକେଟ୍ ଏବଂ ଭୋଗ ଦଖଲ ସମ୍ପର୍କିତ ଦଲିଲ ଦେବାକୁ ହେବ। ଆବେଦନ ସମୟରେ ୧,୦୦୦ ଟଙ୍କାର ନନ୍-ରିଫଣ୍ଡେବଲ୍ ଫି ମଧ୍ୟ ରହିଛି। ଆବେଦନ ପରେ ମାମଲା ସମ୍ପୃକ୍ତ ଜିଲ୍ଲା କଲେକ୍ଟରେଟ୍କୁ ଯିବ। ଆବେଦନର 7 ଦିନ ମଧ୍ୟରେ ନୋଡାଲ ଅଫିସର ପ୍ରାଥମିକ ଯାଞ୍ଚ କରିବେ. ଏହାପରେ ସମ୍ପୃକ୍ତ ତହସିଲଦାରଙ୍କ ଦ୍ୱାରା ଫିଲ୍ଡ ଇନକ୍ୱାରି ହେବ। ସାଇଟ୍ ଭିଜିଟ୍, ଜମିର ସ୍କେଡ୍ୟୁଲ୍ ଓ ଟ୍ରେସ୍ ମ୍ୟାପ୍, ସାବିକ-ହାଲ୍ ତୁଳନା, ଭୋଗଦଖଲ ଓ ଟାଇଟଲ୍ର ଯାଞ୍ଚ ସହ ଅନ୍ୟାନ୍ୟ ଦଲିଲ ଯାଞ୍ଚ କରାଯିବ ।
30 ଦିନ ମଧ୍ୟରେ ତହସିଲଦାର ରିପୋର୍ଟ ଦାଖଲ କରିବାରେ 7 ଦିନ ମଧ୍ୟରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ହୋଇଥିବା ଜିଲ୍ଲା ସ୍ତରୀୟ କମିଟି ତାର ଯାଞ୍ଚ କରିବ । ଏହା ପରେ ମନ୍ଦିର ମ୍ୟାନେଜିଂ କମିଟିର NOC ଜରୁରୀ, ଜିଲ୍ଲା କମିଟି ଯାଞ୍ଚ ପରେ ମାମଲା ଶ୍ରୀଜଗନ୍ନାଥ ଟେମ୍ପଲ୍ ମ୍ୟାନେଜିଂ କମିଟି ନିକଟକୁ ପଠାଇବ । NOC ମିଳିବା ପରେ ଜିଲ୍ଲା ସ୍ତରୀୟ କମିଟି ସେଟଲମେଣ୍ଟ, ପ୍ରତ୍ୟାଖ୍ୟାନ କିମ୍ବା ଅଧିକ ତଦନ୍ତ ପାଇଁ ସୁପାରିସ୍ କରିପାରିବ । ୩ ସ୍ତରରେ ହେବ ଅନୁମୋଦନ ଜମିର ପରିମାଣ ଅନୁଯାୟୀ ତିନିଟି ସ୍ତରରେ Competent Authority ନିଷ୍ପତ୍ତି ନେବେ—
* କଲେକ୍ଟର: ୫୦ ଡେସିମିଲ୍ ପର୍ଯ୍ୟନ୍ତ ଘରବାଡି ଜମି ଏବଂ ୧ ଏକର ପର୍ଯ୍ୟନ୍ତ କୃଷି ଜମି।
* RDC: ୫୦ରୁ ୧୦୦ ଡେସିମିଲ୍ ପର୍ଯ୍ୟନ୍ତ ଘରବାଡ଼ି ଜମି ଏବଂ ୧ରୁ ୨ ଏକର ପର୍ଯ୍ୟନ୍ତ କୃଷି ଜମି।
* ଆଇନ ବିଭାଗ ସଚିବ: ୧୦୦ରୁ ୧୫୦ ଡେସିମିଲ୍ ପର୍ଯ୍ୟନ୍ତ ଘରବାଡ଼ି ଜମି ଏବଂ ୧୫୦ ଡେସିମିଲ୍ ପର୍ଯ୍ୟନ୍ତ କମର୍ସିଆଲ୍ ଜମି।
DLSC ସୁପାରିସ୍ ପରେ Competent Authority ଏକ ମାସ ମଧ୍ୟରେ ନିଷ୍ପତ୍ତି ନେବାର ବ୍ୟବସ୍ଥା ରହିଛି । ସେଟଲମେଣ୍ଟ ଅନୁମୋଦନ ହେବା ପରେ ମୁଖ୍ୟ ପ୍ରଶାସକଙ୍କ ପକ୍ଷରୁ ଡିମାଣ୍ଡ ନୋଟିସ୍ ଜାରି ହେବ। ଆବେଦନକାରୀଙ୍କୁ ନିର୍ଦ୍ଧାରିତ ରାଶି ୩ ମାସ ମଧ୍ୟରେ ଜମା କରିବାକୁ ହେବ । ଅନଲାଇନ୍ ପେମେଣ୍ଟ, ବ୍ୟାଙ୍କ ଡ୍ରାଫ୍ଟ କିମ୍ବା ବ୍ୟାଙ୍କର୍ସ ଚେକ୍ ମାଧ୍ୟମରେ ଅର୍ଥ ପ୍ରଦାନ କରାଯାଇପାରିବ । ନିର୍ଦ୍ଧାରିତ ସମୟରେ ଅର୍ଥ ପ୍ରଦାନ ପରେ ଡିଡ୍ ଏକ୍ଜିକ୍ୟୁସନ୍ ଓ ରେଜିଷ୍ଟ୍ରେସନ୍ କରାଯିବ। ପରେ ତହସିଲଦାରଙ୍କ ଦ୍ୱାରା ଜମି ରେକର୍ଡ ଓ ମ୍ୟାପ୍ରେ ଆବଶ୍ୟକ ସଂଶୋଧନ କରାଯାଇ ପ୍ରକ୍ରିୟାକୁ ବନ୍ଦ କରାଯିବ। ସବୁଠାରୁ ବଡ଼ କଥା ହେଉଛି, ଏହି ସମଗ୍ର ସେଟଲମେଣ୍ଟ ପ୍ରକ୍ରିୟାକୁ ଦୁଇ ବର୍ଷ ମଧ୍ୟରେ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଦୀର୍ଘ ସମୟ ଧରି ମନ୍ଦିର ଜମିରେ ଭୋଗଦଖଲରେ ଥିବା ଯୋଗ୍ୟ ଲୋକମାନଙ୍କୁ କନ୍ସେସନାଲ୍ ରେଟ୍ରେ ସେଟଲମେଣ୍ଟର ସୁଯୋଗ ଦେବା ନେଇ ମଧ୍ୟ ବ୍ୟବସ୍ଥା ରହିଛି । ମହାପ୍ରଭୁଙ୍କର 36 ହଜାର ଏକର ଜମିର ରେକର୍ଡ ରହିଛି କିନ୍ତୁ 58 ହଜାର ଏକର ଜମି ରାଜ୍ୟ ଏବଂ ରାଜ୍ୟ ବାହାରେ ଦେଶ ବାହାରେ ମଧ୍ୟ ରହିଛି ।
ସେଟଲମେଣ୍ଟ ପ୍ରକ୍ରିୟାକୁ ଅନଲାଇନ୍ ଓ ପାରଦର୍ଶୀ କରାଯିବା ଫଳରେ ଆବେଦନରୁ ଆରମ୍ଭ କରି ଯାଞ୍ଚ, NOC, ଅନୁମୋଦନ, ପେମେଣ୍ଟ, ରେଜିଷ୍ଟ୍ରେସନ୍ ଓ ରେକର୍ଡ ସଂଶୋଧନ—ସମସ୍ତ ପର୍ଯ୍ୟାୟକୁ ଏକ ବ୍ୟବସ୍ଥିତ ଅନଲାଇନ୍ ପ୍ରକ୍ରିୟାରେ ଅଣାଯିବ । ଏଥିପାଇଁ ଖୁଵ ଶୀଘ୍ର ପୋର୍ଟାଲ ଶୁଭରମ୍ଭ କରିବେ ସରକାର ।
ଏବେ ନଜର ପକାନ୍ତୁ ବିଭିନ୍ନ ସ୍ଲାବ ଉପରେ –
କୃଷି ଜମି ପାଇଁ ମଧ୍ୟ ଭିନ୍ନ ଦର ଓ ନିୟମ ସ୍ଥିର ରହିଛି. ଘର ବାଡି ପାଇଁ 2007 ପୂର୍ବରୁ ଦଖଲରେ ରହିଥିବା ଆବଶ୍ୟକ. ୩୦ ବର୍ଷରୁ ଅଧିକ ଦଖଲ ଥିଲେ ସାଧାରଣ ଲୋକଙ୍କ ପାଇଁ ୧୦ ପ୍ରତିଶତ, ସେବକଙ୍କ ପାଇଁ ୫ ପ୍ରତିଶତ ଏବଂ ନିଯୋଗ ସେବକଙ୍କ ପାଇଁ ୭.୫ ପ୍ରତିଶତ ଦେବାକୁ ପଡିବ ।
୨୦ରୁ ୩୦ ବର୍ଷ ଦଖଲ ଥିଲେ ସାଧାରଣ ଲୋକଙ୍କ ପାଇଁ ୧୫ ପ୍ରତିଶତ, ସେବକଙ୍କ ପାଇଁ ୭.୫ ପ୍ରତିଶତ ଏବଂ ନିଯୋଗ ସେବକଙ୍କ ପାଇଁ ୧୦ ପ୍ରତିଶତ ଧାର୍ଯ୍ୟ ହୋଇଛି ।
ସେହିପରି ୧୨ରୁ ୨୦ ବର୍ଷ ଦଖଲ ଥିଲେ ସାଧାରଣ ଲୋକଙ୍କ ପାଇଁ ୨୫ ପ୍ରତିଶତ, ସେବକଙ୍କ ପାଇଁ ୧୨.୫ ପ୍ରତିଶତ ଏବଂ ନିଯୋଗ ସେବକଙ୍କ ପାଇଁ ୧୫ ପ୍ରତିଶତ ଦେବାକୁ ପଡିବ ।
ତେବେ ୧୦୦ ଡ଼ିସିମିଲରୁ ଅଧିକ ଏବଂ ୨୫୦ ଡ଼ିସିମିଲ ପର୍ଯ୍ୟନ୍ତ ଜମି ହେଲେ ପୁରା BMV ଦେବାକୁ ପଡିବ ।
କୃଷି ଜମି କ୍ଷେତ୍ରରେ ମଧ୍ୟ ଭିନ୍ନ ନିୟମ ରହିଛି । ସେବକମାନେ ୧ ଏକର ପର୍ଯ୍ୟନ୍ତ ଜମି ପାଇଁ ବେଞ୍ଚ ମାର୍କ ଭଲ୍ୟୁ ୫୦ ପ୍ରତିଶତ ଦେବେ । ୧ରୁ ୨ ଏକର ଜମି ହେଲେ ପୁରା ବେଞ୍ଚ ମାର୍କ ଭଲ୍ୟୁ ଦେବାକୁ ପଡିବ ।
ମଠ ପାଇଁ ପ୍ରଥମ 100 ଡ଼ିସିମିଲ ମାଗଣା ଏବଂ ପରବର୍ତ୍ତୀ ୧୫୦ ଡ଼ିସିମିଲ ଯାଏଁ ବେଞ୍ଚମାର୍କ ଭାଲ୍ୟୁ ଦେବାକୁ ପଡିବ ।




