Uncategorized

ପୋଖରୀରେ ବୁଡ଼ି ନବନିଯୁକ୍ତ ଗୃହରକ୍ଷୀଙ୍କ ମୃତ୍ୟୁ

ଭୁବନେଶ୍ବର: ଯାଜପୁର ଜିଲ୍ଲା ପାଣିକୋଇଲିସ୍ଥିତ ପୋଲିସ ମୁଖ୍ୟାଳୟ ବାରାକରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପୋଖରୀ ପାଣିରେ ବୁଡ଼ି ଜଣେ ନବନିଯୁକ୍ତ ଗୃହରକ୍ଷୀ (ହୋମଗାର୍ଡ)ଙ୍କର ଅକାଳ ମୃତ୍ୟୁ ଘଟିଛି। ମୃତକ ହେଲେ କଳିଙ୍ଗନଗର ଥାନା ଅନ୍ତର୍ଗତ ରାଣାଗୁଣ୍ଡି ଗାଁର ରାକେଶ କୁମାର ଜେନା। ପାଣିକୋଇଲି ବାରାକରେ ନବନିଯୁକ୍ତ ଗୃହରକ୍ଷୀମାନଙ୍କର ତାଲିମ ଚାଲିଥିଲା। ଆଜି ଛୁଟି ଥିବାରୁ ରାକେଶ ନିଜ ସାଥୀମାନଙ୍କ ସହ ପରିସରରେ ଥିବା ପୋଖରୀକୁ ଗୋଡ଼ହାତ ଧୋଇବାକୁ ଯାଇଥିଲେ। ଗୋଡ଼ହାତ ଧୁଅଣି ବେଳେ ଗୋଡ଼ ଖସିଯିବାରୁ ରାକେଶ ଗଭୀର ପାଣିକୁ ଚାଲିଯାଇଥିଲେ। ସହକର୍ମୀମାନେ ତାଙ୍କୁ ସାଙ୍ଗେ ସାଙ୍ଗେ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ବି ବିଫଳ ହୋଇଥିଲେ। ସହକର୍ମୀଙ୍କଠାରୁ ଖବର ପାଇ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ତୁରନ୍ତ ଅଗ୍ନିଶମ ବାହିନୀକୁ ପଠାଇଥିଲେ। ଯାଜପୁର ରୋଡ୍‌ ଓ ରସୁଲପୁରରୁ ଅଗ୍ନିଶମ ଟିମ୍‌ ଆସି ଦୀର୍ଘ ସମୟ ଖୋଜାଖୋଜି କରିବା ପରେ ରାକେଶଙ୍କୁ ପୋଖରୀରୁ ଅଚେତ ଅବସ୍ଥାରେ ବାହାର କରିଥିଲେ। ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲେ ବି ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ସମ୍ପର୍କରେ ପାଣିକୋଇଲି ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପଟ୍ଟାୟତ ସୂଚନା ଦେଇଛନ୍ତି।

Related Articles

Back to top button